କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କଲେ କମିଟି

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିବା ଜଣାପଡିଛି । ୧୦ଟି କ୍ଷମତା ବିଶିଷ୍ଟ ଏହି କମିଟିରେ ୬୮ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଛନ୍ତି । ଏହି କମିଟିର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ।

କମିଟି ଗୁଡିକ କୋରୋନା ମହାମାରୀର ପ୍ରଭାବକୁ ନିୟନ୍ତ୍ରଣ କରିବା, ଲକଡାଉନ ଜନିତ ସମସ୍ୟା ଓ ଲକଡାଉନ ପରବର୍ତୀ ଆର୍ଥିକ ସ୍ଥିତିର ସମାଧାନ ଦିଗରେ କାର୍ଯ୍ୟକରିବେ। ଗଠିତ ସମସ୍ତ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି। କମିଟି ଗୁଡିକ ମଧ୍ୟରେ ଦୈନିକ ଭିଡିଓ କନଫରେନ୍ସିଂ ଆଲୋଚନା କରାଯାଇ ସରକାରଙ୍କୁ ଆବଶ୍ୟକ ପ୍ରସ୍ତାବ ଦିଆଯିବ।

ଏହା ସହ କମିଟି ନିଜ ନିଜର କ୍ଷେତ୍ରରେ ଆବଶ୍ୟକ ନିଷ୍ପତି ନେବେ। ପ୍ରତି କମିଟିରେ ୬ ଜଣ ଲେଖାଁଏ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ଓ କ୍ୟାବିନେଟ ସଚିବାଳୟରେ ଜଣେ ଲେଖାଁଏ ଅଧିକାରୀ ରହିଛନ୍ତି। ଯାହାଦ୍ୱାରା କାର୍ଯ୍ୟରେ ସମନ୍ୱୟ ସହିତ ନିଆଯାଉଥିବା ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ। ଏଥିରେ ବିଭିନ୍ନ ବିଭାଗର ୨୦ ଜଣ ସଚିବ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ଜଣ ଅଫିସର ରହିଛନ୍ତି। ପ୍ରତ୍ୟେକ ଗ୍ରୁପକୁ ଏକ ସପ୍ତାହ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ଗ୍ରୁପ ନିଜ ନିଜ କ୍ଷେତ୍ର ବାବଦରେ ବିଭିନ୍ନ ପ୍ରସ୍ତାବ ଦେବେ।