କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବନି ମହଙ୍ଗା ଭତା

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ମହଙ୍ଗା ଭତା(ଡିଏ) ଉପରେ ସରକାର ରୋକ୍‌ ଲଗାଇଛନ୍ତି। ଆସନ୍ତା ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଏହା ଉପରେ ରୋକ୍‌ ଲଗାଯାଇଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଆଦେଶନାମା ଅନୁସାରେ, କରୋନା ଭୂତାଣୁ ସଙ୍କଟ ଯୋଗୁ ୨୦୨୦ ଜାନୁୟାରୀ ୧ ପରଠାରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତା ରାଶି ଦିଆଯିବ ନାହିଁ। ସେହିପରି ୨୦୨୦ ଜୁଲାଇ ୧ରୁ ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ ମହଙ୍ଗା ଭତା ମଧ୍ୟ ଦିଆଯିବ ନାହିଁ। କେବେ ଏହି ମହଙ୍ଗା ଭତା ପ୍ରଦାନ କରାଯିବା ନେଇ ନିଷ୍ପତି ନିଆଯିବ ତାହା ୨୦୨୧ ଜୁଲାଇ ୧ରେ ସ୍ପଷ୍ଟ ହେବ। ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଉପରେ ଏହି ଆଦେଶନାମା ଲାଗୁ ହେବ।