କୋରୋନା ଭାଇରସ; ମୃତ୍ୟୁ ସଂଖ୍ୟା ୨୮୫୮ରେ ପହଂଚିଲା

ବେଜିଂ: କୋରୋନା ଭାଇରସ୍ ଯୋଗୁଁ ଏଯାବତ୍ ମୃତ୍ୟୁ ସଂଖ୍ୟା ୨୮୫୮ରେ ପହଂଚିଲା । ତେବେ ଏହି ଭାଇରସ୍ ଏବେ ୫୦ରୁ ଅଧିକ ଦେଶକୁ ଛୁଇଁଲାଣି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚିନ୍ତା ପ୍ରକଟ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡସ ଆଡନମ ଗୈବରେସସ କହିଛନ୍ତି, ଆମେ ଏବେ ଗ୍ଲୋବାଲ ସ୍ତରରେ କୋରୋନା ଭାଇରସ ପ୍ରଚାର ଓ ପ୍ରଭାବକୁ ଉଚ୍ଚ ଶ୍ରେଣୀରେ ରଖିଛୁ ।

ଜର୍ମାନୀର ସର୍ବାଧିକ ଜନବହୁଳ ରାଜ୍ୟ ନର୍ଥରାଇଡ-ଭେଷ୍ଟଫେଲିଆରେ ଶୁକ୍ରବାର କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ୫୦ରେ ପହଂଚିଛି । ପାଖାପାଖି ୧୦୦୦ ଲୋକଙ୍କ ନିକଟରେ ସଂକ୍ରମଣ ଥିବା ସଂଦେହରେ ସେମାନଙ୍କୁ ସ୍ୱତନ୍ତ୍ର ଏକ ସ୍ଥାନରେ ରଖାଯାଇଛି । ସଂଦେହ ଘେରରେ ଥିବା ଲୋକେ ଏକ ସମାରୋହରେ ଭାଗ ନେଇଥିଲେ । ଫଳରେ ସେମାନେ ସଂକ୍ରମଣ ଶିକାର ହୋଇଥାଇପାରନ୍ତି ବୋଲି ସଂଦେହ କରାଯାଉଛି ।

ମେକ୍ସିକୋ ସିଟିରେ ମଧ୍ୟ କୋରୋନା ଭାଇରସ ପହଂଚିଛି । ଏଠାରେ ୨ଜଣଙ୍କୁ କୋରୋନା ଭାଇରସ ସ୍ପର୍ଶ କରିଥିବା ଜଣାଯାଇଛି । ପୂର୍ବରୁ ଗୋଟିଏ ପରିବାରର ଲୋକଙ୍କୁ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଥିଲା । ପରିବାରର କେହି ଜଣେ ବ୍ୟକ୍ତି ଇଟାଲି ଗସ୍ତ କରିଥିଲେ ଏବଂ ଫେରିବା ବେଳେ କୋରୋନା ସଂକ୍ରମଣର ସଂସ୍ପର୍ଶରେ ଆସିଥିଲେ ।