କୋରୋନା ଭୟ: ଗଲାଣି ୫୬୦ ଜୀବନ

ବେଜିଂ: ଚୀନ୍‌ରେ ଭୟଙ୍କର ରୂପ ଧାରଣ କରିଥିବା କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ଭାଇରସ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୫୬୦କୁ ଛୁଇଁଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧିପାଇ ୨୪୦୦୦ରୁ ଊର୍ଦ୍ଧ୍ବକୁ ପହଂଚିଛି । ସେପଟେ ଦେଶର ସ୍ଥିତିକୁ ଗୁରୁତର ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି ଜିନପିଂ ।

ଚୀନରେ ବ୍ୟାପୁଥିବା କୋରୋନା ଭାଇରସକୁ ନେଇ ବୁଧବାର ରାଷ୍ଟ୍ରପତି ଜିନପିଂ କହିଛନ୍ତି, ଦେଶର ସ୍ଥିତି ସଙ୍କଟପୂର୍ଣ୍ଣ ରହିଛି । ଭାଇରସର ଉପଚାର ଏବଂ ଏହା ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏହା ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ଆଇନ୍ ଉପରେ ଆଧାରିତ, ବୈଜ୍ଞାନିକ ଏବଂ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । କମ୍ୟୁନିଟି ପାର୍ଟିର ସେଂଟ୍ରାଲ କମିଟି ବୈଠକ ସମୟରେ ସେ ଏଭଳି କହିଛନ୍ତି ।

ତେବେ କୋରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଚୀନ ସୈନିକଙ୍କୁ ନିୟୋଜିତ କରିଛି । ଏନେଇ ରାଷ୍ଟ୍ରପତି ଜିନପିଂ କହିଛନ୍ତି, ଏହି ଭାଇରସକୁ ନିୟନ୍ତ୍ରଣ କରିବାର ଦାୟିତ୍ବ ସେନା ଏବଂ ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)କୁ ବହନ କରିବାକୁ ହେବ । ଦେଶର ସ୍ଥିତି ଗମ୍ଭୀର ଏବଂ ଚ୍ୟାଲେଞ୍ଜିଂ ବୋଲି ସେମାନଙ୍କୁ ବୁଝିବାକୁ ହେବ । ସେମାନଙ୍କୁ ନିଜ ଲକ୍ଷ୍ୟକୁ ଧ୍ୟାନରେ ରଖି ଆଦେଶର ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି ।