କୋରୋନା ଭାଇରସ୍‌: ମୃତ୍ୟୁସଂଖ୍ୟା ୧୩୫୦କୁ ଛୁଇଁଲା

ବେଜିଂ: କୋରୋନା ଭାଇରସ୍ ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ବର୍ତମାନ ମୃତ୍ୟୁ ସଂଖ୍ୟା ୧୩୫୦କୁ ଛୁଇଁଛି । ଗତକାଲି ଚୀନର ହୁବେଇ ପ୍ରାନ୍ତରେ ଗୋଟିଏ ଦିନରେ ୨୪୨ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ଯାଇଥିବାବେଳେ ୧୫୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେବା ଓ ଏତେ ରୋଗୀ ପ୍ରାଣ ହରାଇବାକୁ ନେଇ ଚୀନରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି ।

କୋରୋନା ଭାଇରସରେ ଏପର୍ଯ୍ୟନ୍ତ ୬୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ବୁଧୁବାର ଦିନ ଚୀନରେ ଗୋଟିଏ ଦିନରେ ହିଁ ୨୪୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ଗତ କାଲି ଚିହ୍ନଟ ହୋଇଥିବା ଅନେକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡ଼ିଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସୋମବାର ଦିନ ମାକ୍ସ ପିନ୍ଧି କରୋନା ଭାଇରସ କେନ୍ଦ୍ରରେ ପହଂଚିଥିଲେ । ସେଠାରେ ଏହି କୋରୋନା ଭାଇରସ ନିୟନ୍ତ୍ରଣ ପାଇଁ ଆଲୋଚନା କରିବା ସହ ମୁକାବିଲା କରିବା ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେହିଭଳି ଚୀନର ପଡୋଶୀ ଦେଶ ମାନଙ୍କୁ ମଧ୍ୟ ଏହି ଭୂତାଣୁ ବ୍ୟାପିବା ଆରମ୍ଭ କଲାଣି ସିଙ୍ଗାପୁରରେ ଏପର୍ଯ୍ୟନ୍ତ ୪୫ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେଲେଣି । ସିଙ୍ଗାପୁରରେ କରୋନା ଭୂତାଣୁ ବ୍ୟାପୁଥିବା ଦେଖି ଦକ୍ଷିଣ କୋରିଆ ଓ ଇଜ୍ରାଏଲ ସିଙ୍ଗାପୁର ନ ଯିବା ଲାଗି ତାଙ୍କ ଦେଶର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ହଙ୍ଗକଙ୍ଗରେ ମଧ୍ୟ ୪୯ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମକାଓ ରେ ୧୦ ଜଣ ଓ ତାଇୱାନରେ ୧୮ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ।

ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି । ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା ପାଇଁ କିଛି ଦିନ କଟକଣା ଜାରି କରିଛନ୍ତି ।