ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଂଚିଲାଣି

ନୂଆଦିଲ୍ଲୀ: ଭାରତରେ ନିଜର କାୟା ବିସ୍ତାର କରିସାରିଥିବା କୋରୋନା ଏବେ ବଢ଼ିବାରେ ଲାଗିଛି । ଭାରତରେ ବର୍ତମାନ ସୁଦ୍ଧା ୧୦୭ଜଣ କୋରୋନା ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ଘଟିଛି ।  ଅନ୍ୟପକ୍ଷରେ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ୧୬ଟି ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଉତରପ୍ରଦେଶରେ ୧୧ ଜଣ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାର କୋରୋନାକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ମାସ୍କ ଏବଂ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯିବା ସହ ଏହାର ଉତ୍ପାଦନ ବୃଦ୍ଧି କରାଯିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ଯେ ଦେଶର ସମସ୍ତ ସରକାରୀ ହସ୍ପିଟାଲ ଏବଂ ମେଡିକାଲ କଲେଜରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏ ପର୍ଯ୍ୟନ୍ତ କୋରୋନା ଭାଇରସ୍‌ ବିଶ୍ୱବ୍ୟାପୀ ୬ ହଜାର ୯୫ ଲୋକଙ୍କ ଜୀବନ ନେଇଥିବାରୁ ଭାରତ ଯୁଦ୍ଧସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରିଛି। ଭାରତରେ କୋରୋନା ଭାଇରସ୍‌ ସଂକ୍ରମିତ ଲୋକଙ୍କ ସଂପର୍କରେ ଆସିଥିବା ୪ ହଜାରରୁ ଅଧିକ ଲୋକଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ଦିଲ୍ଲୀରେ ଦୁଇଦିନ ତଳେ ଜଣେ ୬୮ ବର୍ଷୀୟା ମହିଳା କୋରୋନାରେ ପ୍ରାଣ ହରାଇଥିଲେ ଏବଂ ସେଠାରେ ମୋଟ ୭ଟି ମାମଲା ରହିଛି। ହରିୟାଣାରେ ୧୪ ଜଣ କୋରୋନା ସଂକ୍ରମିତ ଥିବା ବେଳେ ସମସ୍ତେ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। କେରଳରେ ୨୨ ଜଣ କୋରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ଆଜି ମହାରାଷ୍ଟ୍ର କେରଳକୁ ଟପି ଯାଇ ସଂକ୍ରମିତ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୩୧ରେ ପହଂଚି ଥିବାରୁ କଟକଣା ବଢ଼ାଇ ଦିଆଯାଇଛି। କର୍ଣ୍ଣାଟକରେ ୬ ଜଣ କୋରୋନା ସଂକ୍ରମିତ ଥିବା ବେଳେ ରାଜସ୍ଥାନରେ ୪ ଜଣ ଏବଂ ତେଲେଙ୍ଗାନାରେ ୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରମାନେ ମଧ୍ୟ କଟକଣା କଡ଼ାକଡ଼ି କରିଛନ୍ତି। ଉତର ପ୍ରଦେଶ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ର ସମେତ ୧୬ଟି ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି। କର୍ଣ୍ଣାଟକ, ପଂଜାବ ଏବଂ ମହାରାଷ୍ଟ୍ରରେ ମଲ୍‌, ଜିମ୍‌ ଏବଂ ସିନେମା ହଲ୍‌ ମଧ୍ୟ ବନ୍ଦ ଘୋଷଣା କରାଯାଇଛି।