କୋରୋନା ମୁକାବିଲା ଲାଗି ସହରାଂଚଳରେ କ୍ୱାରେଂଟାଇନ୍ ସେଂଟର

ଭୁବନେଶ୍ୱର: କୋରୋନା ମୁକାବିଲା ଲାଗି ସହରାଂଚଳରେ କ୍ୱାରେଂଟାଇନ୍ ସେଂଟର ଖୋଲିବା ପାଇଁ ରାଜ୍ୟ ସରକାର ପୌର ପ୍ରଶାସନକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଆଜି ଏ ନେଇ ସମସ୍ତ ମହାନଗର  ନିଗମ କମିଶନର ଏବଂ ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମାରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଂଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟଗୃହ କିମ୍ବା ସେହିଭଳି ଘରୋଇ ଓ ସରକାରୀ କୋଠାଗୁଡିକରେ କ୍ୱାରେଂଟାଇନ୍ ସେଂଟୀ ଖୋଲିବା ଲାଗି କୁହାଯାଇଛି । ଏହିସବୁ କୋଠାରେ ଯେଭଳି ନିୟମିତ ବିଜୁଳି ଯୋଗାଣ ସହିତ ଜେନେରେଟରର ସେଟ, ଜଳଯୋଗାଣ ଆଦି ରହିବ । ଏହି କେନ୍ଦ୍ର ଗୁଡିକୁ ଲୋକ ଯୋଗାଇଦେବା ଲାଗି ସେବା ଯୋଗାଣକାରୀ ସଂସ୍ଥାଗୁଡିକ ତୁରନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ କୋଠା ଠିକଣା ଭାବେ ପରିସ୍କାର ପରିଚ୍ଛନ୍ନତା ସହିତ ସାନିଟାଇଜ କରିବାକୁ କୁହାଯାଇଛି । କ୍ୱାରେଂଟାଇନ୍ ସେଂଟର ଗୁଡିକର ଠିକଣା ପରିଚାଳନା ସହିତ ସୁରକ୍ଷାକର୍ମୀ ଓ ସେବା ଯୋଗାଣକାରୀଙ୍କ ମୁତୟନ ଲାଗି ସରକାର କହିଛନ୍‌ିି । ପ୍ରତ୍ୟେକ ୱାର୍ଡ ଅଫିସରମାନଙ୍କୁ ସେମାନଙ୍କ ଇଲାକାର ସର୍ଭିଲାନ୍ସ ଅଫିସର ଭାବେ ବିବେଚନା କରାଯିବ । ଏହି ଅଫିସର ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ ରକ୍ଷା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିବେ ।

ପୌରାଂଚଳରେ ଥିବା ସ୍ୱଚ୍ଛ ସାଥୀମାନଙ୍କୁ ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ମୁତୟନ କରାଯିବା ସଙ୍ଗେ ସଙ୍ଗେ ବିଗତ ୧୫ଦିନ ମଧ୍ୟରେ ଯଦି ସହରକୁ କୌଣସି ବ୍ୟକ୍ତି ବିଦେଶରୁ ଆସିଥାନ୍ତି ସେମାନଙ୍କ ସଂକ୍ରାନ୍ତରେ ପୌର ଅଧିକାରୀଙ୍କୁ ଖବର ଦେବାକୁ କୁହାଯାଇଛି ।

ପୂର୍ବରୁ ୨ଦିନ ମଧ୍ୟରେ ଶୌଚାଳନ ଓ ଆଧାର କେନ୍ଦ୍ର ଲାଗି ୱାଟର ଜେଟିଂ ମେସିିନ୍ ଖରିଦ ଲାଗି କୁହାଯାଇଥିଲା । ବର୍ତମାନ ଏହିସବୁ ଇଲାକାରେ ପରିସ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଧୂଆଁ ଛାଡିବା ଓ ସିଂଚନ ଯନ୍ତ୍ର ନିୟମିତ ଭାବେ ବ୍ୟବହାର କରିବାକୁ କୁହାଯାଇଛି । ଆବଶ୍ୟକତା ମେଂଟାଇବା ଲାଗି ପର୍ଯ୍ୟାପ୍ତ ପରିମାଣରେ ମେସିନ୍ କିଣିବାକୁ କର୍ତୃପକ୍ଷ କହିଛନ୍ତି । ସହରରେ ଥିବା ସମସ୍ତ ଗୋଷ୍ଠୀ ପାଇଖାନାଗୁଡିକୁ ବ୍ୟବହାର ଯୋଗ୍ୟ କରିବାକୁ କୁହାଯାଇଛି । ଏଗୁଡିକୁ ରଙ୍ଗ ମାରିବା ସହିତ ଜଳଯୋଗାଣ, ବିଦ୍ୟୁତ୍ ଏବଂ ଶୌଚାଳୟରେ ହାତ ଧୋଇବା ଲାଗି ସାବୁନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସହରରେ ଥିବା ସମସ୍ତ ପାର୍କ ଦିନ ୨ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରିବା ଲାଗି ଆଇଇସି ଅଭିଯାନ ନିୟମିତ ଭାବେ ଚଳାଇବାକୁ କୁହାଯାଇଛି ।

କୌଣସି କ୍ଷେତ୍ରରେ ମିଥ୍ୟା କିମ୍ବା କପୋଳକଳ୍ପିତ ଖବର ସୋସିଆଲ ମିଡିଆ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହେଲେ ସେ ସଂକ୍ରାନ୍ତରେ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି । ପୌରାଂଚଳଗୁଡିକୁ ଆବଶ୍ୟକତାସ୍ଥଳରେ ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି । ସେହିଭଳି ପୌରାଂଚଳରେ ସମସ୍ତ ପ୍ରକାରର ଜନସମାଗମକୁ ନିଷେଧ କରାଯାଇଛି । ପୌର ଅଧିକାରୀମାନେ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରିବାକୁ ରାଜ୍ୟ ସରକାର କହିଛନ୍ତି ।