କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୪୮୮ରେ ପହଂଚିଲା

ବେଜିଂ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏବେ ଏହି ଭାଇରସ୍ ଯୋଗୁଁ ଏବେ ମୃତ୍ୟୁ ସଂଖ୍ୟା ୧୪୮୮ରେ ପହଂଚିଛି ।

ସେହିପରି ହୁବେଇ ପ୍ରଦେଶରେ କୋରୋନା ଦ୍ୱାରା ଆଉ ୪,୮୨୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩,୦୯୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଯାଏ କୋରୋନା ଭାଇରସରେ ମୋଟ ୬୪,୮୯୪ ଜଣ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି।

ଚୀନ ସରକାର ଏହି ଭାଇରସ ବ୍ୟାପିବା ଉପରେ ରୋକ ଲଗାଇବାକୁ ଉଦ୍ୟମ କରୁଥିଲେ ହେଁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଲୋକଙ୍କୁ ଚୀନ ସରକାର ସମସ୍ତ ପ୍ରକାରର ମେଡିକାଲ ସହାୟତା ଯୋଗାଇ ଦେଉଛନ୍ତି। ବିଶେଷ କରି ଭୂତାଣରୁ କେନ୍ଦ୍ରସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ସ୍ୱତନ୍ତ୍ର ମେଡିକାଲ ବ୍ୟବସ୍ଥା କରାଯାଇଛି।

ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ବାହାରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଭାଇରସକୁ ପ୍ରତିରୋଧ କରିବାର କ୍ଷମତା ରଖିଥିବା ମାସ୍କ ମଧ୍ୟ ବଂଟା ଯାଉଛି। ପୂର୍ବରୁ କେବଳ ଲୋକଙ୍କ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଯାଉଥିଲା। ଏହାଦ୍ୱାରା ରୋଗର ଚିହ୍ନଟ ଓ ପ୍ରତିକାର ପାଇଁ ସମୟ ଲାଗୁଥିଲା।

ହେଲେ ଏବେ ସିଟି ସ୍କାନର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ରୋଗର ଚିହ୍ନଟ ଓ ନିରାକରଣ ଶୀଘ୍ର ହୋଇପାରିବ। ଏହି ସିଟି ସ୍କାନ ଦ୍ୱାରା ଶରୀରର କେଉଁ ସବୁ ଅଂଚଳରେ ଭାଇରସ ବ୍ୟାପିଛି, ତାହା ଜଣାପଡ଼ିବ ବୋଲି ଚାଇନା ସରକାର କହିଛନ୍ତି।

ଚୀନ ବ୍ୟତୀତ ବିଶ୍ୱର ଆଉ ୨୮ଟି ଦେଶରେ ମଧ୍ୟ କରୋନା ଭାଇରସ ପ୍ରବେଶ କରିସାରିଲାଣି। ଆମେରିକାରେ ୧୨ରୁ ଅଧିକ ରୋଗୀ ରହିଥିବା ବେଳେ ବ୍ରିଟେନରେ ୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଜାପାନରେ ମଧ୍ୟ ୧୦୦ରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି।