କୋରୋନା ଭାଇରସ୍‌: ପ୍ରାଣ ଗଲାଣି ୩୬୧

ବେଜିଂ: ଅଣାୟତଃ ହେବାରେ ଲାଗିଛି ଚୀନର ହୁୱାଇ ପ୍ରାନ୍ତରୁ ବ୍ୟାପୁଥିବା କୋରୋନା ଭାଇରସ । ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୩୬୧ରେ ପହଂଚିଛି । ଗତ ୨୪ ଘଂଟା ମଧ୍ୟରେ ଏହି ସଂକ୍ରମଣ ଜନିତ ମୃତ୍ୟୁର ୫୬ ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୬ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ତେବେ ବର୍ତମାନ ସୁଦ୍ଧା ୯,୬୧୮ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୭୮ ଜଣ ଗୁରୁତର ଥିବା ଜଣା ପଡିଛି । ସେପଟେ ଆମେରିକାରେ କୋରୋନା ଭାଇରସ ସଂକ୍ରମଣର ୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଭାଇରସ୍‌ର ପ୍ରକୋପକୁ ଦୃଷ୍ଟିରେ ରଖି ଚୀନ ଏବଂ ଋଷ ମଧ୍ୟର ସମସ୍ତ ରେଳ ସେବା ବାତିଲ କରିଛନ୍ତି ଋଷ ସରକାର ।

ସେପଟେ ଭାରତରେ ମଧ୍ୟ କୋରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । କେରଳରେ ୨ ଜଣ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯାଇଛି । ଉଭୟଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେହିପରି ଏହି ଭାଇରସରେ ସଂକ୍ରମଣ ଥିବା ସନ୍ଦେହ କରି ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି ।