ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ

ଦେଶର ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ସରିଛି ଡ୍ରାଏ ରନ୍

ଭୁବନେଶ୍ବର :ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଭାକସିନ୍‌। ଟିକାର ଡ୍ରାଏ ରନ୍ ସମୀକ୍ଷା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ଏପଟେ ଓଡ଼ିଶା ସମେତ ସାରା ଦେଶର ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ସରିଛି। ଭାକସିନ୍‌ ଆସିଲେ କେମିତି କୋଲ୍ଡ ଚେନ୍‌ର ବ୍ୟବହାର ହେବ ସେନେଇ ପ୍ରସ୍ତୁତି ସରିଛି ।

ଦେଶବାସୀଙ୍କୁ ଫ୍ରିରେ ମିଳିବ କରୋନା ଟିକା। ପୂର୍ବରୁ ଟିକାର ଦରଦାମ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏବେ ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦିଲ୍ଲୀର ଜିଟିବି ହସ୍ପିଟାଲରେ ଭାକସିନ୍‌ର ଡ୍ରାଏ ରନ୍‌ ପରେ କରୋନା ଟିକା ମାଗଣା ଦିଆଯିବ ବୋଲି ଘୋଷଣା କରିଛନ୍ତି ହର୍ଷବର୍ଦ୍ଧନ। ସେହିପରି ଗୁଜବ ଉପରେ ମଧ୍ୟ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ, ଭାକସିନ୍‌ର ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ଆମର ଦାୟିତ୍ବ କହି ଦେଶବାସୀଙ୍କୁ ଆଶ୍ବସ୍ତ କରାଛନ୍ତି ହର୍ଷବର୍ଦ୍ଧନ। ଦେଶର ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ କରୋନା ଟିକାକରଣ ପୂର୍ବରୁ ଡ୍ରାଏ ରନ୍‌ କରାଯାଇଛି। ଡ୍ରାଏ ରନ୍‌ ବେଳେ ଟିକାକୁ ଛାଡ଼ି ଅନ୍ୟ ସବୁ ଦିଗ ଯାଞ୍ଚ କରାଯାଉଥିବା ମଧ୍ୟ କହିଛନ୍ତି ହର୍ଷବର୍ଦ୍ଧନ।

ବାଲେଶ୍ବରରୁ ବ୍ରହ୍ମପୁର। ପୁରୀରୁ ବଲାଙ୍ଗିର। ୩୦ ଜିଲ୍ଲା ମୁଖ୍ୟାଳୟ ସମେତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ପ୍ରାକ୍‌-ଟିକାକରଣ ଅଭ୍ୟାସ ବା ଭାକସିନ୍‌ ଡ୍ରାଏ ରନ୍‌। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। କରୋନା ଟିକା ଆସିଲେ କିପରି କୋଲ୍ଡ ଚେନ୍‌ ବ୍ୟବହାର ହେବ ସେନେଇ ପ୍ରସ୍ତୁତି ହୋଇଛି। ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିବା ସହ ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଡମି ଟିକାକରଣ କରାଯାଉଛି। ମକଡ୍ରିଲ ପାଇଁ ୩ଟି କକ୍ଷ ରହିଛି। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଞ୍ଚ କରାଯାଉଛି।

ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ କକ୍ଷକୁ ନିଆଯାଇ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ଭାକ୍ସିନେସନ କକ୍ଷକୁ ପଠାଯିବ। ଟିକାକରଣ ପରେ ଅବଜରଭେସନ କକ୍ଷରେ ଉକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ। ୨ ଜଣ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ଉପରେ ନଜର ରଖିବେ। ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଖବର ଦେବା ସହ ତାଙ୍କର ଚିକିତ୍ସା କରାଯିବ। ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ କରୋନା ଟିକା ପହଞ୍ଚି ଯିବ ବୋଲି ଅନୁମାନ କରାଯାଉଛି । ଆର୍ଥାତ୍ ଜାନୁଆରୀ ଶେଷ ବେଳକୁ ରାଜ୍ୟରେ ଉପଲବ୍ଧ ହେବ ଟିକା।

corona vaccines will get free in India