ନିର୍ବାଚନ ଇସ୍ତାହାରରେ ମାଗଣା କରୋନା ଟିକା ପ୍ରତିଶ୍ରୁତି !

ଇଲେକ୍ସନ କମିଶନରେ ଅଭିଯୋଗ

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ଗୁରୁବାର ଦଳୀୟ ସଂକଳ୍ପପତ୍ର ଜାରି ହୋଇଛି। ଏଥିରେ ରଜ୍ୟବାସୀଙ୍କୁ ନିଶୁଳ୍କ କରୋନା ଟିକା ଯୋଗାଇ ଦେବାକୁ ଦଳ ପ୍ରତିଶ୍ରୁତି ଦେଇଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଥିବା ବେଳେ ମାମଲା ଏବେ ଇଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜଧାନୀ ପାଟନାରେ ଦଳର ସଂକଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ଜନସାଧରଣଙ୍କୁ ଦଳ ପକ୍ଷରୁ ମୋଟ ୧୧ଟି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ତେବେ କରୋନା ଭେକ୍ସିନ୍ ପ୍ରତିଶ୍ରୁତିକୁ ଦଳ ସଂକଳ୍ପ ପତ୍ରର ସର୍ବାଗ୍ରେ ରଖିଛି। ଭାରତରେ କରୋନା ଟିକାକୁ ଆଇସିଏମଆରଙ୍କ ମଞ୍ଜୁରି ମିଳିବାମାତ୍ରେ ବିହାରର ଜନସାଧାରଣଙ୍କୁ ପ୍ରାଥମିକତା ଭିତ୍ତିରେ ନିଃଶୁଳ୍କ ଟିକାକରଣ କରାଯିବ ବୋଲି ସୀତାରମଣ କହିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏଭଳି ଘୋଷଣା ପତ୍ରକୁ ନେଇ ରାଜ୍ୟରେ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ସେପଟେ ଏଭଳି ପ୍ରତିଶ୍ରୁତିକୁ ନିର୍ବାଚନ ଆଚରଣ ବିଧିର ଗୁରୁତର ଉଲ୍ଲଂଘନ ସାଙ୍ଗକୁ କେନ୍ଦ୍ର ସରକାରଙ୍କ କ୍ଷମତାର ଦୂରୁପଯୋଗ ଦର୍ଶାଇ ସାମାଜିକ କାର୍ଯ୍ୟକର୍ତ୍ତା ସାକେତ ଗୋଖଲେ ଇଲେକ୍ସନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୋଖଲେ ଏ ନେଇ ଇସିଆଇଙ୍କୁ ଜରୁରି ଅଭିଯୋଗ କରିଥିବା ବେଳେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ମଧ୍ୟ ସୂଚିତ କରିଛନ୍ତି। ସେ ଏହାକୁ କେବଳ ମିଥ୍ୟା ପ୍ରତିଶ୍ରୁତି ନୁହେଁ ବରଂ ଭେଦଭାବ ପୂର୍ଣ୍ଣ ଆଚରଣ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।

corona vaccine in bihar election manifesto