ଟିକାକରଣ ସଫଳତା : କାଲିଠୁ ରାଜ୍ୟରେ ତ୍ୱରାନ୍ୱିତ ହେବ ଟିକା କରଣ, ବଢିବ ଟିକା କରଣ କେନ୍ଦ୍ର ସଂଖ୍ୟା

୭ରୁ ୧୦ ଦିନ ଭିତରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: କାଲି (ସୋମବାର) ଠୁ ପୁଣି ରାଜ୍ୟରେ ଟିକରଣ ଚାଲିବ । ବଢ଼ିବ ଟିକାକରଣ କେନ୍ଦ୍ରର ସଂଖ୍ୟା । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ସେହିଭଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ । ଏହି ସବୁ ସ୍ଥାନରେ ୨୦୦ ଜଣଙ୍କୁ ଟିକା ଦିଆଯିବ । ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ୍ ଇନଚାର୍ଜ ରହିବେ । ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଶନିବାର ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ରାଜ୍ୟରେ ସୁରୁଖୁରୁରେ ସରିଛି । ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ୧୩ ହଜାର ୯୮୦ ଜଣ ଟିକା ନେଇଛନ୍ତି । ୭ରୁ ୧୦ ଦିନ ଭିତରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି ।
୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଣ୍ଟ ହୋଇଛି । ଢେଙ୍କାନାଳ, କଟକ (ସାଲେପୁର) ଓ ଗଜପତି ଜିଲ୍ଲାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ନର୍ଭସନେସ୍ ପାଇଁ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ସବୁ କିଛି ଠିକ୍ ରହିଛି । ଆମେ ସେମାନଙ୍କ ଉପରେ ନଜର ରଖିଛୁ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ କହିଛନ୍ତି ।

corona vaccination centre in medical colleges increased to five in odisha