କରୋନା ଟିକାକରଣ : ଦେଶରେ ପ୍ରଥମ ଦିନର ଟିକାନେଲେ ୧.୬୫ ଲକ୍ଷ ଲୋକ

ନୂଆଦିଲ୍ଲୀ   : ଦେଶରେ କରୋନା ଟିକାକରଣ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ଟିକାକରଣର ସମ୍ପୂର୍ଣ୍ଣ ତଥ୍ୟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଟିକାକରଣ ଅଭିଯାନର ପ୍ରଥମ ଦିନରେ ଦେଶରେ ପ୍ରାୟ ୧ ଲକ୍ଷ ୬୫ ହଜାର ୭୧୪ ଜଣ କରୋନା ଟିକା ନେଇଛନ୍ତି । କିନ୍ତୁ ପ୍ରଥମ ଦିନରେ ସରକାର କରିଥିବା ଟାର୍ଗେଟ୍ ପୁରା କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନର ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଟିକା ଲଗାଇବାକୁ ଲକ୍ଷ୍ୟ ରଖାଯାଇଥିଲା ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଦେଶରେ ଟିକାକରଣ ପାଇଁ ମୋଟ ୩୩୫୧ ସେଣ୍ଟର ତିଆରି କରାଯାଇଛି । ଏହି ସେଣ୍ଟରଗୁଡିକରେ ମୋଟ ୧୬,୭୫୫ ଜଣଙ୍କୁ ନିଯୁକ୍ତ କରାଯାଇଛି । ପ୍ରଥମ ଦିନ ଟିକାକରଣ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷ ବର୍ଦ୍ଧନ ସମସ୍ତ ରାଜର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସମୀକ୍ଷା ବୈଠକ କରିଛନ୍ତି । ଆଗାମୀ ଦିନରେ ଭ୍ୟାକସିନ୍‌ ସେଣ୍ଟରଗୁଡିକରେ ଟିକାକରଣ ସଂଖ୍ୟା ବଢାଯିବ ବୋଲି ସୂଚନା ମିଳିଛି ।

ତେବେ ସବୁଠାରୁ ଭଲ ଖବର ହେଉଛି ଭ୍ୟାକସିନ୍‌ ନେବା ପ​‌ରେ କୌଣସି ବି ସ୍ଥାନରେ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଅସୁସ୍ଥ ଖବର ଆସିନାହିଁ । ଅର୍ଥାତ ଦେଶରେ ଟିକାକରଣ ସୁରୁଖୁରୁରେ ଆଗକୁ ବଢିବ । ତେବେ କେଉଁ ରାଜ୍ୟରେ କେତେ ସଂଖ୍ୟକ ଟିକାକରଣ ହୋଇଛି ତାହାର ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ବିହାରରେ ୧୬ ହଜାର ୪୦୧ଜଣଙ୍କୁ ଟିକା ଲଗାଯାଇଛି । ଦିଲ୍ଲୀରେ ୩୪୦୩, ଗୁଜରାଟରେ ୮୫୫୭ ଜଣଙ୍କୁ ଟିକା ଲଗାଯାଇଛି । ସେହିଭଳି ଉତ୍ତର ପ୍ରଦେଶରେ ୧୫ ହଜାର ୯୭୫ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମଳିଛି ।

ବିଭିନ୍ନ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ଭ୍ୟାକସିନ୍‌ ସେଣ୍ଟର ତଥ୍ୟ ମଧ୍ୟ ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ । ତଥ୍ୟ ଅନୁଯାୟୀ ଆସାମରେ ୬୫ ଟି ଭ୍ୟାକସିନ୍‌ ସେଣ୍ଟର ତିଆରି କରାଯାଇଛି । ସେହିଭଳି ବିହାରରେ ୩୦୧, ଦିଲ୍ଲୀରେ ୮୧, ହରିୟାଣାରେ ୭୭, କର୍ଣ୍ଣାଟକରେ ୨୪୨, ମହାରାଷ୍ଟ୍ରରେ ୨୮୫, ଓଡିଶାରେ ୧୮୧, ରାଜସ୍ଥାନରେ ୧୬୭, ତାମିଲନାଡୁରେ ୧୬୦, ତେଲେଙ୍ଗାନାରେ ୧୪୦ ଏବଂ ଉତ୍ତର ପ୍ରଦେଶରେ ୩୭୦ଟି ଭ୍ୟାକସିନ୍‌ ସେଣ୍ଟରରେ ଟିକାକରଣ ହୋଇଥିଲା ।