ସ୍ୱାସ୍ଥ୍ୟ ବିଭାଗ ମାର୍ଗଦର୍ଶିକା ଅନୁସାରେ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟରକୁ ଅଧିକ ବ୍ୟାପକ କରାଯିବ

ଭୁବନେଶ୍ୱର: କୋଭିଡ୍‌-୧୯ ପରିଚାଳନାକୁ ଅଧିକ ବ୍ୟାପକ ଓ ଦୃଢ଼ୀଭୂତ କରିବା ସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ଚିକିତ୍ସା ବ୍ୟବସ୍ଥାର ସର୍ବାଧିକ ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ଆଜି କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର ଏବଂ ହୋମ୍‌ ଆଇସୋଲେସନ୍‌ ବିଷୟରେ କେତେକ ନୂତନ ବ୍ୟବସ୍ଥା କରିଛନ୍ତି । ଏ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତି୍ରପାଠୀ କହିଛନ୍ତି ଯେ ଅନେକ ସଂସ୍ଥା, ଅନୁଷ୍ଠାନ ଏବଂ କର୍ପୋରେଟ୍‌ ହାଉସ୍‌ମାନେ ସେମାନଙ୍କ ସଦସ୍ୟମାନଙ୍କ ଆନୁଷ୍ଠାନିକ ପୃଥକବାସ ଏବଂ ଲକ୍ଷଣବିହୀନ କେସ୍‌ର ପରିଚାଳନା ପାଇଁ କରିଥିବା ଅନୁରୋଧକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସର୍ତ୍ତାବଳୀ ସହିତ ଏହି ଅନୁମତି ଦେଇଛନ୍ତି ।

ଏହା ଛଡ଼ା ଲକ୍ଷଣବିହୀନ କୋଭିଡ୍‌ ପଜିଟିଭ୍‌ ଲୋକମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ଦୃଷ୍ଟିରେ ରଖି ହୋମ୍‌ ଆଇସୋଲେସନ୍‌ ଏବଂ ହୋମ୍‌ କେୟାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ସହରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍‌ ସଦର ମହକୁମା ଆଦିରେ ପଜିଟିଭ୍‌, ଲକ୍ଷଣବିହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ ବ୍ୟକ୍ତିମାନେ ଏହି ହୋମ୍‌ ଆଇସୋଲେସନ୍‌ ସୁବିଧା ନେଇପାରିବେ । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର
କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ହେବ ।ଆନୁଷ୍ଠାନିକ କେୟାର ଏବଂ ହୋମ୍‌ କେୟାର ୟୁନିଟ୍‌ମାନେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସର୍ତ୍ତାବଳୀ ପାଳନ କରିବେ । ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଦିଆଯାଇଛି ।

ମୁଖ୍ୟତଃ ନିମ୍ନୋକ୍ତ ସଂସ୍ଥା ଓ ଅନୁଷ୍ଠାନମାନେ ସେମାନଙ୍କ ନିଜ ନିଜ କର୍ମଚାରୀମାନଙ୍କ ପାଇଁ କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିପାରିବେ ।
୧. ପୌର ପରିଷଦ
୨. ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ
୩. ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର
୪. ପୂର୍ବତଟ ରେଳବାଇର ବିଭିନ୍ନ କେନ୍ଦ୍ର
୫. ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ପରିଚାଳିତ ସାଧାରଣ ଉଦ୍ୟୋଗ
୬. କେନ୍ଦ୍ରୀୟ ଆର୍ମଡ୍‌ ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ
୭. ଓଡ଼ିଶା ପୋଲିସ, ଓଡ଼ିଶା ଅଗ୍ନିଶମ ସଂସ୍ଥା, କାରାଗାର ନିର୍ଦ୍ଦେଶାଳୟ
୮. କେନ୍ଦ୍ରୀୟ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ
୯. ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ସଂସ୍ଥା
୧୦. ଆବାସିକ ୱେଲଫେୟାର ସଂସ୍ଥା
୧୧. କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ
ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟରକୁ ସଂପୃକ୍ତ ଜିଲ୍ଲାପାଳ/ପୌର କମିଶନରମାନେ ସ୍ୱାସ୍ଥ୍ୟ ବିଭାଗ ସର୍ତ୍ତାବଳୀ ଅନୁସାରେ ସ୍ୱୀକୃତି ଦେବେ ।

ଯେଉଁ ସନ୍ଦିଗ୍ଧ ଏବଂ କୋଭିଡ୍‌ ପଜିଟିଭ୍‌ ବ୍ୟକ୍ତିମାନଙ୍କର ହୋମ୍‌ ଆଇସୋଲେସନ୍‌ କିମ୍ବା ଉପରୋକ୍ତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଆଇସୋଲୋସନ୍‌ ସୁବିଧା ନାହିଁ, ସେମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପୃଥକବାସ କେନ୍ଦ୍ରରେ ରହିବେ ।

ହୋମ୍‌ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିମାନଙ୍କର ଯଦି ଗୁରୁତର ଲକ୍ଷଣ ପ୍ରକାଶ ପାଇଲେ ବା ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଲେ ସେମାନେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁପାଳନ କରିବେ ।