ଆଜି ରାଜଧାନୀରୁ ୧୯ ଓ କଟକରୁ ୭୪ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର/ କଟକ:  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ  ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ସଙ୍ଗରୋଧରେ ଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଅପରପକ୍ଷରେ କଳ୍ପନା ଛକ ନିକଟସ୍ଥ ଏକ ସରକାରୀ ଅଫିସ୍‌ର ୨ ଜଣ କରୋନା ଯୋଦ୍ଧା ମଧ୍ୟ ଏଥିରେ ଥିବା ଜଣାଯାଇଛି।


ସଙ୍ଗରୋଧରେ ଥିବା ସଂକ୍ରମିତମାନଙ୍କ ମଧ୍ୟରେ ଜଣେ ସାମନ୍ତରାପୁର ନିକଟସ୍ଥ ନୂଆଗାଁର, ୪ ଜଣ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ, ଜଣେ ସେଣ୍ଟ୍ରାଲ୍ ହସ୍‌ପିଟାଲ୍‌ର କର୍ମଚାରୀ, ଜଣେ ପାହାଳର ଓ ଅନ୍ୟ ଜଣେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଞ୍ଚଳର। ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

୮ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ବଡ଼ଗଡ଼ ନେତାଜୀ କ୍ଲବ୍ ଅଞ୍ଚଳର, ଜଣେ ଭାରତପୁର ତେଲୁଗୁ ସାହିର, ଜଣେ ୟୁନିଟ୍ ୪ ସ୍ଥିତ ଏସ୍‌ସିପିସିଆର୍ ଅଫିସ୍ ଅଞ୍ଚଳର, ଜଣେ ଘଟିକିଆର, ଜଣେ ଝାରପଡ଼ାର, ଜଣେ ସୁନ୍ଦରପଦାର ଓ ଅନ୍ୟ ଜଣେ ପଳାସପଲ୍ଲୀର ବୋଲି ଜଣାଯାଇଛି। ଏହି ୮ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ଏହାଫଳରେ ବିଏମ୍‌ସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଥିବା ଜଣାଯାଇଛି।  ଏଥିମଧ୍ୟରୁ ୨୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।


ଠିକ୍ ସେହିପରି କଟକ ମହାନଗର ନିଗମ (ସିଏମ୍‌ସି)ର ସୂଚନା ଅନୁଯାୟୀ, କଟକ ସହରରୁ ୭୪ଜଣ ନୂଆ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୬ ଅନୁଷ୍ଠାନ ସଙ୍ଗରୋଧରେ ଏବଂ ୨୮ ଘରୋଇ ସଙ୍ଗରୋଧରେ ଥିବା ଜଣାଯାଇଛି।  ଘରୋଇ ସଙ୍ଗରୋଧରେ ଥିବା କଟକର ମାଣିକଘୋଷ ବଜାରରେ ଗୋଟିଏ ପରିବାରର ୧୧ ଜଣ, ମାଳିସାହିର ୧୩,  ସିଡିଏ ସେକ୍ଟର-୬ର ୩ ଓ ଜଣେ ବମ୍ଫକୁଦର ଜଣେ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି। ଅନୁଷ୍ଠାନ ସଙ୍ଗରୋଧରେ ଥିବା ଲୋକଙ୍କ ଭିତରୁ ୩୮ଜଣ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରୁ, ୩ କରୋନା ଯୋଦ୍ଧା ଓ ୫ଜଣ ମାଳିସାହି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ରହିଛନ୍ତି।

ଏହାଫଳରେ କଟକ ମହାନଗର ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ରେ ପହଞ୍ଚିଥିବା ଜଣାଯାଇଛି।  ଏଥିମଧ୍ୟରୁ ୨୨ ଜଣ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।