ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିହାରରୁ ସ୍ପେଶାଲ୍ ଲିଚୁ ନେଇ ଦିଲ୍ଲୀ ଆସିଥିବା ଅଧିକାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ : ବିହାର ମୁଜାଫରପୁରରେ କୃଷି ବିଭାଗର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ଅଧିକାରୀ ଜଣଙ୍କ କିଛି ଦିନ ପୂର୍ବରୁ ସ୍ପେଶାଲ ଲିଚୁ ନେଇ ଦିଲ୍ଲୀ ସ୍ଥିତ ବିହାର ଭବନ ଯାଇଥିଲେ । ଏହି ଲିଚୁ ଉପହାର ସ୍ୱରୂପ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀମାନଙ୍କ ପାଇଁ ପଠାଯାଇଥିଲା। ମୁଜାଫରପୁର ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ବୟାନ ଜାରି କରାଯାଇଛି ଯେ ଅଧିକାରୀଙ୍କ କାମ କେବଳ ଲିଚୁ ପହଞ୍ଚାଇବା ଥିଲା । ଲିଚୁ ବିତରଣ ସହ ତାଙ୍କର କିଛି ସମ୍ପର୍କ ନଥିଲା ।

ଏହି ମାମଲାରେ ମୁଜଫରପୁର ଜିଲ୍ଲା ଅଧିକାରୀ ଚନ୍ଦ୍ର ଶେଖର ପ୍ରସାଦ ସିଂହ କହିଛନ୍ତି ଯେ ଅଧିକାରୀ କେବଳ ଲିଚୁ ଟ୍ରକ ବିହାର ଭବନ ଯାଏଁ ପହଞ୍ଚିଲା ନା ନାହିଁ ତାହା ସୁନିଶ୍ଚିତ କରିବାକୁ ଯାଇଥିଲେ । ତାପରେ ସେ ନିଜର ଦୁଇ ସମ୍ପର୍କୀୟଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଥିବା ଜଣାପଡିଛି। ସେହି ଆଧାରରେ ଅଧିକାରୀ ଜଣଙ୍କ ନିଜର ନମୁନା ପରୀକ୍ଷା କରାଇଥିଲେ ଏବଂ ନିଜେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ଜିଲ୍ଲା ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ମୁଜାଫରପୁର କୃଷି ବିଭାଗ ଅଧିକାରୀ ଜୁନ ୯ ତାରିଖରେ ଟ୍ରେନରେ ଲିଚୁ ପ୍ୟାକେଟ ନେଇ ଦିଲ୍ଲୀ ସ୍ଥିତ ବିହାର ଭବନ ଯାଇଥିଲେ । ବିହାର ଭବନରେ କରୋନା ଗାଇଡଲାଇନ ପାଳନ କରି ଅଧିକାରୀ ନିଜ କୋଠରୀରେ ହିଁ ଥିଲେ। ଲିଚୁ ବିତରଣରେ ଅଧିକାରୀଙ୍କ କୌଣସି ଭୂମିକା ନଥିଲା ।ବିତରଣ କାର୍ଯ୍ୟ ବିହାର ଭବନ ଟିମ ଦ୍ୱାରା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଖବର ଆସିଥିଲା କରୋନା ପଜିଟିଭ ସରକାରୀ ଅଧିକାରୀ ଲିଚୁ ବିତରଣ ପାଇଁ ଯାଇଥିଲେ। ବୟାନ ଜାରି କରି ଏହା ସ୍ପଷ୍ଟ କରାଯାଇଛି ଯେ ଉକ୍ତ ଅଧିକାରୀ କେବଳ ଲିଚୁ ପହଞ୍ଚାଇବାକୁ ଯାଇଥିଲେ, ବିତରଣ କରିବାକୁ ଯାଇନଥିଲେ| ଉକ୍ତ ଅଧିକାରୀଙ୍କୁ କୋଭିଡ କେୟାର ସେଣ୍ଟର ପଠାଯାଇଛି ।