ରାଜ୍ୟରେ ୧୫ ରୁ ୪୦ବର୍ଷ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏ ପର୍ଯ୍ୟନ୍ତ ରାଜ୍ୟରେ ଏପ୍ରିଲ ୨୪ ତାରିଖ ସୁଦ୍ଧା ୨୦୫୯୯ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୪ ତାରିଖରେ ସମୁଦାୟ ୨୧୪୧ଟି ନମୁନା ପରୀକ୍ଷା ହୋଇଛି । ଓଡ଼ିଶାରେ ବର୍ତମାନ ସୁଦ୍ଧା ୯୪ଜଣ କରୋନା ପଜିଟିଭ ଆକ୍ରାନ୍ତଙ୍କ ବାବଦରେ ଜଣାପଡିଥିବାବେଳେ ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଜଣକର ମୃତ୍ୟୁ ହୋଇଥିବାବେଳେ ୬୦ଟି ସକ୍ରିୟ କେସ ରହିଛି । ତେବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରୋଗୀଙ୍କ ବୟସ ୧୫ରୁ ୪୦ ବର୍ଷ ବୋଲି ଜଣାପଡିଛି । ସମୁଦାୟ ୯୪ ପଜିଟିଭଙ୍କ ମଧ୍ୟରୁ ୪୫ ଜଣ ୧୫ରୁ ୪୦ ବର୍ଷ ମଧ୍ୟରେ ହୋଇଥିବାବେଳେ ୨୮ ଜଣ ୪୧ରୁ ୬୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।

୬୦ ବର୍ଷର ଊର୍ଦ୍ଧ୍ୱ କରୋନା ରୋଗୀଙ୍କ ସଂଖ୍ୟା ୧୧ ହୋଇଥିବାବେଳେ ୧୦ ଜଣ କରୋନା ରୋଗୀଙ୍କ ବୟସ ୦ରୁ ୧୪ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୭ ଜଣ ପୁରୁଷ ହୋଇଥିବାବେଳେ ୨୭ ଜଣ ମହିଳା ବୋଲି ଜଣାପଡିଛି |