ପ୍ରାୟ ୧ଲକ୍ଷ ଲୋକ କ୍ୱାରେନଟିନ୍ ସେଂଟରରୁ ଡିସଚାର୍ଜ ହୋଇ ଘରକୁ ଗଲେଣି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ତରଫରୁ ତାଜା ତଥ୍ୟ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କହିଛନ୍ତି, କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା ବିରୋଧରେ ଆଗକୁ ଲମ୍ବା ଲଢେଇ ଚାଲିବ । ତେବେ ଓଡିଶା ସରକାରଙ୍କ ପୂର୍ବପ୍ରସ୍ତୁତି ଯୋଗୁଁ କରୋନା ସଂକ୍ରମଣ ବିଶେଷ କ୍ଷତି କରିପାରି ନାହିଁ ।

ଭାରତ ତୁଳନାରେ ଓଡିଶାରେ ସଂକ୍ରମଣ ପ୍ରତିଶତ ହାର କମ୍ । ସେହିପରି ଓଡିଶାର କରୋନା ମୃତ୍ୟୁ ହାର ସବୁଠୁ କମ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଂଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ରଖିବା ଏକ ସଫଳ ନିଷ୍ପତି । ରାଜ୍ୟରେ ବିଭିନ୍ନ କ୍ୱାରେନଟିନ୍ କେନ୍ଦ୍ରରେ ମୋଟ ୮ଲକ୍ଷ ଶଯ୍ୟା ସରକାର ପ୍ରସ୍ତୁତ ରଖିଥିବା ବେଳେ ମାତ୍ର ୩ଲକ୍ଷ ଶଯ୍ୟା ବର୍ତମାନ ପୂରଣ ହୋଇଛି । ପ୍ରାୟ ୧ଲକ୍ଷ ଲୋକ ସଙ୍ଗରୋଧ ଅବଧି ସରିବା ପରେ କ୍ୱାରେନଟିନ୍ ସେଂଟରରୁ ଘରକୁ ଫେରିଲେଣି ।

ଆଗକୁ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନତାର ଆବଶ୍ୟକତା ରହିଛି । ହଟସ୍ପଟ ଅଞ୍ଚଳ ଫେରନ୍ତାଙ୍କ ଏବଂ ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେନଟିନ୍ ପଲିସି କରାଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ପ୍ରବାସୀଙ୍କୁ ସିଧା କ୍ୱାରେନଟିନ୍ ରେ ରଖାଯାଉଛି ।