ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆସିଛି । ଆଜି ପୁଣି ଥରେ ୩୦ ଜଣ କରୋନା କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯୬ରେ ପହଂଚିଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ଆଗାମୀ ଦିନରେ ଆହୁରି ଅନେକ କରୋନା ରୋଗୀ ସୁସ୍ଥ ହେବେ ।
ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୮୬ ହଜାର ୧୪୦ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୭୩୭ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।