ଆଉ ୨ କରୋନା ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ପହଂଚିଲା

ପ୍ରଥମ ଥର ଲାଗି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର

ଭୁବନେଶ୍ୱର: ପୁଣି ୨ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ହୋଇଛି। ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୋରାପୁଟ୍ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବା ସହ କରୋନା ମାନଚିତ୍ରରେ ସାମିଲ ହୋଇଛି କୋରାପୁଟ ଜିଲ୍ଲା। କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ବ୍ଲକର ଏହି ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକମସଂପର୍କ ବିଭାଗ। ଉଲ୍ଲେଖଯୋଗ୍ୟ କଥା ହେଲା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା, ମାତ୍ର ନମୁନ‌ା ପରୀକ୍ଷା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେ ଜଣେ ୩୨ ବର୍ଷିୟ ଯୁବକ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆ‌ଯାଇଛି। ଏହା ଫଳରେ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହୋଇଛି।