ଗତକାଲି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ଜଣେ

କେନ୍ଦ୍ରପଡା: ରାଜ୍ୟରେ ଗତକାଲି ୪ କରୋନାଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏହା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ଏହାପରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ରାଜନଗର ଅଂଚଳର ଦୁଇଟି ଗାଁକୁ ସିଲ୍ କରାଯାଇଛି।

ସୂଚନାଯୋଗ୍ୟ,  ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଂଚଳର ଏହି ଯୁବତୀଙ୍କୁ କରୋନା ସନ୍ଦେହରେ  କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ତାଙ୍କ ପରିବାରର ୩ ଜଣଙ୍କୁ କ୍ୱାରେଂଟାଇନ୍ ରେ ରଖିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ସଂପୃକ୍ତ ଯୁବତୀଙ୍କ ସ୍ୱାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି କି ନାହିଁ ସେ ନେଇ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିଲା। ତେବେ ସେ ପଜିଟିଭ ବୋଲି ଆଜି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଜିଲ୍ଲାର ଆଳି ଅଂଚଳରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସେହିପରି  ଗତକାଲି ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଆଉ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଆଜି ସକାଳେ ଜଣାଯାଇଛି। କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ‌ ହେବାରେ ଏହା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଘଟଣା। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଂଚଳର ବୋଲି ସୂଚନା ମିଳିଛି । ଏହି ଦୁଇ କରୋନା ଆକ୍ରାନ୍ତ ଏବେ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଦୁହେଁ ଯାଜପୁରର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।