ଭୁବନେଶ୍ୱର: ରାଜ୍ୟରେ ଏବେ ଯେତିକି ସଂଖ୍ୟକ କୋରୋନା ବା କୋଭିଡ୍ ନମୁନା ପରୀକ୍ଷା ହୋଇଛି, ସେଥିରେ ସଂକ୍ରମଣ ହାର ୧.୪୭ ପ୍ରତିଶତ ରହିଛି। ଜାତୀୟସ୍ତରରେ ଏହି ହାର୍ ୪.୪୨ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ତୁଳନାରେ ୨.୯୫ ପ୍ରତିଶତ କମ୍ ରହିଛି ବୋଲି କୋରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଶ୍ରୀ ବଗାଚୀ କହିଛନ୍ତି ସାରା ବିଶ୍ୱରେ ଏବେ ୨୧୦ଟି ଦେଶକୁ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ୧୬ ଲକ୍ଷ ୧୦ହଜାର ୬୨ ଲୋକ ଆକ୍ରାନ୍ତ ହେଲେଣି ।
ଏଥିସହିତ ୯୬ ହଜାର ୩୬୫ ଜଣ ମୃତ୍ୟୁ ହେଲେଣି । ତେବେ ଭାରତରେ ୬୪୧୨ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଂଚିଛି । ମାତ୍ର ରାଜ୍ୟରେ ଏ ପର୍ଯ୍ୟନ୍ତ ୩୨୪୯ କୋଭିଡ୍ ନମୁନା ପରୀକ୍ଷା ହୋଇସାରିଛି। ସେଥିମଧ୍ୟରୁ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ୨ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୪୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ୧୧୩ ଜଣ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି ।
ଶ୍ରୀ ବାଗଚୀ କହିଛନ୍ତି କୋରୋନା ମୁକାବିଲା କରିବା ପାଇଁ ସରକାର ଦିନକୁ ଦିନ ଅଧିକ ଜୋରଦାର ପ୍ରସ୍ତୁତି କରୁଛନ୍ତି । ପୂର୍ବରୁ ରାଜ୍ୟରେ କୋରୋନା ପରୀକ୍ଷା ପାଇଁ ଆରଏମଆରସି ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ ରାଜ୍ୟର ଏମ୍ସ ଓ ଏସସିବିରେ ପରୀକ୍ଷା କରାଯାଉଛି ବୋଲି କୋରୋନା ମୁଖପାତ୍ର କହିଛନ୍ତି ।