ଏଣିକି ରାଜ୍ୟରେ ଦୈନିକ କରୋନା ୨୦ହଜାର ପରୀକ୍ଷା କରାଯିବ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଦୈନିକ କରୋନା ୨୦ହଜାର କୋଭିଡ୍-୧୯ ପରୀକ୍ଷା କରାଯିବ। ଏ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ୍)ର  ନିର୍ଦେଶକ ଡା.ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

ତାଙ୍କର ସୂଚନା ଅନୁଯାୟୀ, ଦିନକୁ ୧୨ହଜାର ବଦଳରେ ଏଣିକି ୨୦ହଜାର ପରୀକ୍ଷା କରାଯିବ । ଏଥିମଧ୍ୟରୁ ୮ ହଜାର ଆରଟିପିସିଆର ଏବଂ ୧୨ ହଜାର ଆଣ୍ଟିଜେନ୍ ଓ ଟ୍ରୁନେଟ୍ ପରୀକ୍ଷା ହେବ ବୋଲି ସେ କହିଛନ୍ତି । ସରକାର ଚାହିଁଲେ ବେସରକାରୀସ୍ତରରେ ବି ଏହି ପରୀକ୍ଷା କରାଇପାରିବେ ବୋଲି ବି ସେ କହିଛନ୍ତି। ବେସରକାରୀ ଲାବୋରାଟୋରିରେ ପରୀକ୍ଷଣ କରିପାରିବେ।

ବର୍ତ୍ତମାନ ରାଜ୍ୟରେ ଆଣ୍ଟିଜେନ କିଟର ଅଭାବ ନାହିଁ ବୋଲି ଆଇଏଲଏସ୍ ନିର୍ଦେଶକ କହିଛନ୍ତି । ସଂପ୍ରତି ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ଅଛି  ଏବଂ ରାଜ୍ୟରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଆଇଏଲଏସ୍ ନିର୍ଦେଶକ ସ୍ପଷ୍ଟୋକ୍ତି କରିଛନ୍ତି । ଅଗଷ୍ଟରେ  କରୋନା ସଂକ୍ରମଣ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି, ମାତ୍ର ଏହା ନିର୍ଦ୍ଦିଷ୍ଟ କରି କହିହେବ ନାହିଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୧୪୯୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ରାଜ୍ୟରେ ମୋଟ୍ ୧୯,୭୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୧୮ ରହିଛି। ଏଣେ ଓଡ଼ିଶାରେ ୧୭୭ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।