କୋରୋନା ପ୍ରସାରଣ ନେଇ ଜାରି ହେଲା ଗାଇଡ ଲାଇନ୍

ଭୁବନେଶ୍ୱର: କୋରୋନା ସମ୍ପର୍କିତ ଗୁଜବ ଓ ଅପପ୍ରଚାର ରୋକିବା ପାଇଁ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରାକର । କୋରୋନା ସମ୍ପର୍କରେ ଯେକୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

କୋରୋନା ସମ୍ପର୍କରେ ଖବର ପ୍ରସାର ନେଇ ଜାରି ଗାଇଡ଼ଲାଇନ୍ ଅନୁସାରେ ସରକାରଙ୍କ ବିନା ଅନୁମତିରେ କୋରୋନା ସମ୍ପର୍କରେ କୌଣସି ସୂଚନା କେହି ସାର୍ବଜନୀନ କରିପାରିବେ ନାହିଁ । ସମସ୍ତ ପ୍ରକାରର ଗଣମାଧ୍ୟମ, ସଂସ୍ଥା ଓ ବ୍ୟକ୍ତି ଉପରେ ଏହି ଅଙ୍କୁଶ ବଳବତର ରହିବ। ପ୍ରିଂଟ, ଇଲେକ୍ଟ୍ରୋନିକ୍ସ, ୱେବ ଓ ସୋସିଆଲ ମିଡିଆ ସମେତ କୌଣସି ବ୍ୟକ୍ତି ବା ସଂସ୍ଥା କରୋନା ସଂକ୍ରାନ୍ତରେ ସରକାରଙ୍କ ବିନା ଅନୁମତିରେ କୋରୋନା ସମ୍ପର୍କିତ ଖବର ପ୍ରସାରଣ ବା ପ୍ରକାଶ କରିପାରିବେ ନାହିଁ । କୋରୋନା ସମ୍ପର୍କରେ ସୂଚନା ଦେବା ପୂର୍ବରୁ ରାଜ୍ୟ ସରକାରଙ୍କ ଡିଏମଇଟି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ମେଡିକାଲ ଅଧୀକ୍ଷକଙ୍କଠୁ ଅନୁମତି ଆବଶ୍ୟକ। ଏମାନଙ୍କ ମଧ୍ୟରୁ ଯେକୌଣସି ଅଧିକାରୀଙ୍କ ଅନୁମତି ନେଇ କୋରୋନା ସମ୍ପର୍କିତ ଖବର ପ୍ରସାରଣ କରିବା ପାଇଁ ଗାଇଡଲାଇନରେ ଉଲ୍ଲେଖ ଥିବା ସୂଚନା ମିଳିଛି।