ଗିରଫ ହେଲା କୋରୋନା ଗୁଜବକାରୀ ଯୁବକ

ରାୟଗଡ଼ା: ସୋସିଆଲ ମିଡିଆରେ କୋରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିଛି । ସତ୍ୟନାରାୟଣ ଗତକାଲି ସାମାଜିକ ଗଣମାଧ୍ୟମରେ ‘ରାୟଗଡ଼ାରେ ପହଂଚିଲା କୋରୋନା ’, ‘କାଶୀପୁରର ଜଣେ କୋରୋନା ରେ ଆକ୍ରାନ୍ତ’, ‘କେରଳରୁ ଫେରିଥିଲା ଦାଦନ ଶ୍ରମିକ ରାୟଗଡା ମୁଖ୍ୟ ଚିକିତ୍ସାଲୟରେ ଭର୍ତି’ ଭଳି ମିଥ୍ୟା ସୂଚନା ସୋସିଆଲ ମିଡ଼ିଆରେ ଭାଇରାଲ କରି ଲୋକଙ୍କୁ ଭୟଭୀତ କରିଥିଲେ । ଯେଉଁଥି ଯୋଗୁଁ ତାଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ସୂଚନା ଦେଇଛନ୍ତି ।

ମହାମାରୀ କୋରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ରାୟଗଡା ଜିଲ୍ଲାରେ ଏନେଇ ଆରମ୍ଭ ହୋଇଯାଇଛି ଗୁଜବ । କାଶୀପୁର ବ୍ଲକର ଜଣେ ବ୍ୟକ୍ତି କୋରୋନା ରେ ଆକ୍ରାନ୍ତ ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଗୁଜବ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଥିଲା । ଏନେଇ ରାତି ତମାମ ଖୋଳଦାଡ ପରେ ଶୁକ୍ରବାର ତୁହାକୁ ତୁହା ବୈଠକ କରି ଶେଷରେ ଗୁଜବକାରୀ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି ଅମ୍ବାଦଳା ପୋଲିସ ।

ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଉପରେ ପୋଲିସ ବିଭାଗକୁ ତୀକ୍ଷ୍ମ ନଜର ରକିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଗୁଜବ ଠାରୁ ଦୂରେଇ ରହି ସଚେତନତାକୁ ଜୋର ଦେବା ପାଇଁ ଅଂଟା  ଭିଡିଛି ଜିଲ୍ଲା ପ୍ରଶାସନ । କୋରୋନାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଥିବା ବେଳେ ଡାକ୍ତରଙ୍କ ସମେତ ୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇଛି । ବିଶେଷ କରି ରାୟଗଡା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ଫୋକସରେ ରହିଛନ୍ତି ଦୁର୍ଗମ ଅଂଚଳର ଆନ୍ଧ୍ର, କେରଳ ଓ ତାମିଲନାଡୁରୁ ଫେରନ୍ତା ଦାଦନ । ଏନେଇ ଜଣ ଜଣକୁ କାଉନସିଲିଂ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଥିବା ବେଳେ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ ।