ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା । ବାଲେଶ୍ୱର ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରାଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡ଼ିଚାଳକ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ରାତିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବିଧାୟକ ପ୍ରଶାନ୍ତ ବେହେରା ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଆଣି ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଧାୟକ ପ୍ରଶାନ୍ତ ବେହେରା କିଛିଦିନ ତଳେ ଭୁବନେଶ୍ୱର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରୁ ସେ ଘରକୁ ଫେରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ମଙ୍ଗଳବାର ସକାଳେ କଟକ ବଡ଼ ଡାକ୍ତରଖାନାରେ ସ୍ୱାବ୍ ପରୀକ୍ଷା କରିବାକୁ ଆସିଥିଲେ । ବିଧାୟକଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡ଼ିଚାଳକଙ୍କ ମଧ୍ୟ ସ୍ୱାବ ପରୀକ୍ଷା କରାଯାଇଥିଲା । ସନ୍ଧ୍ୟାରେ ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।