ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା ୨୨୯କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨୨୯ରେ ପହଂଚିଛି । ଏଥି ମଧ୍ୟରେ ୩୨ ଜଣ ବିଦେଶୀ ନାଗରିକ ରହିଥିବା ବେଳେ ୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କୋରୋନାରେ ମୋଟ ୪ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କେରଳରେ ପୂର୍ବରୁ ୨୫ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ଦ୍ୱାରା କେରଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଂଚିଛି। ସେହିପରି ଗୁଜୁରାଟରେ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଥିବା ବେଳେ ହରିଆଣାରେ ୫କୁ ବୃଦ୍ଧି ପାଇଛି ।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ ୩୦ଟି ପଜିଟିଭ ସହ ୨ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ୨୨ଟି, ଦିଲ୍ଲୀରେ ୧୬ଟି, ରାଜସ୍ଥାନ ଓ କର୍ଣ୍ଣାଟକରେ ୧୫ଟି ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।