ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ କୁହାଯାଇଥିଲା ଯେ, ଆଜି ସନ୍ଧ୍ୟାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି କୁହାଯାଇଥିଲା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଂଚିଛି ବୋଲି କୁହାଯାଇଥିଲା । କିନ୍ତୁ ପ୍ରକୃତରେ ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୫୧ ତମ ବ୍ୟକ୍ତିଙ୍କ ବାବଦରେ କୁହାଯାଉଥିଲା, ସେ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା । ସେ ହେଉଛନ୍ତି ମୁମ୍ବାଇର ଜଣେ ଟ୍ରକ ଚାଳକ । ଓଡ଼ିଶାରେ ଏକ ଟ୍ରକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତି କରାଯାଇଥିଲା । ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଏହି ବ୍ୟକ୍ତି ଜଣକ ମହାରାଷ୍ଟ୍ର ସରକାରଙ୍କ କରୋନା ତାଲିକାରେ ଯୋଡ଼ି ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୭ ବଦଳରେ ୨୭୦ ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ଏଯାଏଁ ମୋଟ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ତେବେ ୨ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।