ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନ ଠାରେ ମନ୍ତ୍ରୀ ଗୋଷ୍ଠୀ(ଭିଓଏମ୍) ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ. ଜୟଶଙ୍କର , ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସୁଶ୍ରୀ ପ୍ରୀତି ସୁଦାନ, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଡିଏଚଆର ସଚିବ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ହ. ବଳରାମ ଭାର୍ଗବ, ବୟନ ସଚିବ ରବି କପୁର, ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ସଞ୍ଜୀବ କୁମାର, ଜାହାଜ ଚଳାଚଳ ଅତିରିକ୍ତ ସଚିବ ଅନୁ ମଲ୍ଲିକ, ଡିଜିଏଚଏସ୍ ଡ.ରାଜୀବ ଗର୍ଗ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସମେତ ସେନା, ଆଇଟିବିପି, ଫାର୍ମା, ଡିଜିସିଏ, ବୟନଶିଳ୍ପ ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ଏହି ବୈଠକରେ କୋଭିଡ-୧୯ ମୁକାବିଲା ଏବଂ ନିରାକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ନିରାକରଣ ରଣନୀତି ସ୍ୱରୂପ ସାମାଜିକ ଦୂରତା ପଦକ୍ଷେପର ବର୍ତମାନ ସ୍ଥିତି, କୋଭିଡ-୧୯ ମୁକାବିଲା ଦିଗରେ ରାଜ୍ୟଗୁଡିକ ଦ୍ୱାରା ନିଆଯାଇଥିବା କଠୋର ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଗୋଷ୍ଠୀ ଆଲୋଚନା କରିଥିଲେ । ରାଜ୍ୟଗୁଡିକର କୋରୋନା ମୁକାବିଲା ସାମର୍ଥ୍ୟ ବୃଦ୍ଧି ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଆଲୋଚନା କରାଯାଇଥିଲା । ଏଥିପାଇଁ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ ନିର୍ମାଣ, ଡାକ୍ତରଖାନାଗୁଡିକରେ ପିପିଇ, ଭେଂଟିଲେଟର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ କରି ରଖିବାର ଆବଶ୍ୟକତା ରହିଛି ।