ସହରାଂଚଳ ଲୋକଙ୍କୁ ସଚେତନତା ପାଇଁ ବୈଠକ

ଭୁବନେଶ୍ୱର: ସହରାଂଚଳ ଲୋକଙ୍କୁ କୋରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଆସନ୍ତାକାଲି ସମସ୍ତ ପୌରାଂଚଳର ପ୍ରତ୍ୟେକ ୱାର୍ଡରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ଓ ପୌରସଂସ୍ଥାଗୁଡିକୁ ପତ୍ର ଲେଖିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ପଠାଯାଇଥିବା ନିଦ୍ଦେଶନାମାରେ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୧ ତାରିଖ ସକାଳ ୧୦ଟାବେଳେ ୱାର୍ଡ ଅଫିସରମାନେ ନିଜ ନିଜ ୱାର୍ଡରେ ଏହି ବୈଠକ ଡାକିବେ ବୋଲି କୁହାଯାଇଛି । ଏଥିରେ ବତର୍ମାନ ଓ ପୂର୍ବତନ କର୍ପୋରେଟର ଏବଂ କାଉନସିଲରମାନଙ୍କ ସହିତ ସାଧାରଣ ଲୋକେ ଯୋଗ ଦେଇ ସେମାନଙ୍କ ମତାମତ ପ୍ରଦାନ କରିବେ ।

ବୈଠକରେ ଯଦି ଲୋ ସଂଖ୍ୟା ଅଧିକ ହେବ ତେବେ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଆଲୋଚନା କରିବାକୁ କୁହାଯାଇଛି । ଏଥିସହିତ ରାଜ୍ୟ ସରକାର କୋରୋନା ସଚେତନତା ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ଆଲେଖ୍ୟକୁ ୱାର୍ଡ ଅଫିସର ସମସ୍ତଙ୍କୁ ଅବଗତ କରିବେ । କୋରୋନା ସଚେତନତା ନେଇ ପୌରସଂସ୍ଥା ସହିତ ସାଧାରଣ ଲୋକଙ୍କୁ କିଭଳି ଜଡିତ କରାଯିବ ସେ ନେଇ ବୈଠକରେ ସୂଚନା ଦିଆଯିବ । ଏଥିସହିତ ପୌରାଂଚଳରେ ସଫାସୁତୁରା ବଜାୟ ରଖିବା ଲାଗି ଲୋକେ ମଧ୍ୟ ସେମାନଙ୍କ ମତାମତ ପ୍ରଦାନ କରିବେ ।

ତେଣୁ ପ୍ରତି ୱାଡରେ କିଭଳି ସୁରୁଖୁରୁରେ ଏହି ବୈଠକ ଆୟୋଜନ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପରାମର୍ଶ ଦିଆଯାଇ କୋରୋନା ସମ୍ପର୍କରେ ଏକ ମାର୍ଗଦର୍ଶିକା ମଧ୍ୟ ପଠାଯାଇଛି ।