ମାର୍ଚ୍ଚ ଗାଇଡ୍ଲାଇନ୍ସ : ଯାତ୍ରା ଦେଖିବେ ୨୦୦୦ ଲୋକ, ବାହାଘରରେ ୫୦୦ ଅତିଥିଙ୍କୁ ଅନୁମତି
ପୁଣି ଥରେ ଗୁଞ୍ଜି ଉଠିବ ପେଣ୍ଡାଲ
ଭୁବନେଶ୍ଵର : ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଲାଇନ୍ । କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ଜାରି କରିଛନ୍ତି ନିୟମାବଳୀ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହି ଗାଇଡଲାଇନଜାରି କରିଛନ୍ତି । ମାର୍ଚ୍ଚ୧ ରୁ ମାର୍ଚ୍ଚ ୩୧ ଯାଏ ଗାଇଡଲାଇନ ଜାରି କରାଯାଇଛି । ଯଦ୍ବାରା ଜନସଚେତନତା ସହ ବ୍ୟାପକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଏହି ଗାଇଡ୍ ଲାଇନ୍ରେ ସରକାର ଯାତ୍ରାଠୁ ନେଇ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ନିୟମରେ କୋହଳ କରିଛନ୍ତି। ବିଶେଷ କରି ଯାତ୍ରା ପାଇଁ କଟକଣା କୋହଳ କରିଛନ୍ତି ସରକାର। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ବିବାହ ଓ ଶ୍ରାଦ୍ଧ କାମ ପାଇଁ ୫୦୦ ଲୋକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ କୌଣସି କଟକଣା ନାହିଁ।
ଶନିବାର ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ, ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ଯାତ୍ରା ଓ ଅପେରା ପରିବେଷଣ ହୋଇ ପାରିବ। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ହେଲେ କରୋନା ସଂପର୍କିତ ସମସ୍ତ ଗାଇଡ୍ଲାଇନ୍ ମାନି ଯାତ୍ରା ପରିବେଷଣ ହୋଇ ପାରିବ। ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ୍ ଦୂରତା ରହିବ। ରୋଗାକ୍ରାନ୍ତଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି। ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ ଗାଇଡ୍ଲାଇନ୍ରେ କୁହାଯାଇଛି।
ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରାରେ କଟକଣା ଉଲ୍ଲଂଘନ କଲେ ଆୟୋଜକ ଦାୟୀ ରହିବେ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ କୁହାଯାଇଛି।
ମାର୍ଗଦର୍ଶିକା ଅନୁଯାୟୀ, ବାହାଘର ଏବଂ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫ ଶହ ଲୋକଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ଏଥିରେ ମାସ୍କ ପରିଧାନ, ସାମାଜିକ ଦୂରତା ଏବଂ ସାନିଟାଇଜ୍ ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ ବିବାହ କାର୍ଯ୍ୟକ୍ରମ ଓ ଶୁଦ୍ଧିକ୍ରିୟାରେ ଆୟୋଜକ ଗାଇଡ୍ଲାଇନ୍ ଯାଞ୍ଚ କରିବେ। ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବେ। ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ଆୟୋଜକ ମାସ୍କ ଯୋଗାଇ ଦେବେ।
corona guidelines