ଖସୁଛି କରୋନା ଗ୍ରାଫ୍ : ଦୁଇ ହଜାର ତଳକୁ ଖସିଲା ଓଡ଼ିଶାର ଦୈନିକ ସଂକ୍ରମଣ

ଭୁବନେଶ୍ୱର : ଦେଶରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ଓଡ଼ିଶାରେ ମଧ୍ୟ ପଜିଟିଭ୍ ସଂଖ୍ୟା ୨ ହଜାର ତଳକୁ ଖସିବା ଆଶ୍ବସ୍ତି ଆଣିଛି। ଦେଶରେ ଦେଢ ମାସ ପରେ ଦୈନିକ ପଜିଟିଭ୍ ସଂଖ୍ୟା ୫୫ ହଜାର ନିକଟତର ହୋଇଛି। ସେହିପରି ୩ ମାସ ପରେ ମୃତ୍ୟୁ ସଂଖ୍ୟା ୬ ଶହ ତଳକୁ ଖସିଛି।

ଦୁଇ ହଜାର ତଳକୁ ଖସିଲା ଓଡ଼ିଶାର ଦୈନିକ କରୋନା କେସ୍। ଅଢ଼େଇ ମାସ ପରେ ଆଜି ଚିହ୍ନଟ ହୋଇଛନ୍ତି ୧୯୮୨ ପଜିଟିଭ୍। ୪ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରୁ ୧୦୦ରୁ କମ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛି ଦିନ ତଳେ ଟେନସନ୍ ବଢାଇଥିବା ରାଜଧାନୀରେ ଏବେ ମଧ୍ୟ ସଂଖ୍ୟା କମିଛି। ଆଗକୁ ପର୍ବଣ ସହ ଶୀତ ଦିନ। ଅସାବଧାନ ହେଲେ କରୋନା ବଢ଼ିବା ଆଶଙ୍କା ରହିଛି। ତେଣୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଦେଶରେ ଦେଢ ମାସ ପରେ ସର୍ବନିମ୍ନ ସ୍ତରକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୨୨ ଆକ୍ରାନ୍ତ । ଯାହା ଅଗଷ୍ଟ ୧୧ ପରଠୁ ସର୍ବନିମ୍ନ। ସେହିପରି ଜୁଲାଇ ୧୯ ପରଠୁ ମୃତ୍ୟୁ ସଂଖ୍ୟା ୬ ଶହ ତଳକୁ ଖସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ଟପିଥିଲେବି ଆରୋଗ୍ୟ ସଂଖ୍ୟା ୬୬ ଲକ୍ଷ ୬୦ ହଜାର ଡେଇଁଛି। ଗତ କିଛି ଦିନ ହେଲା ଆକ୍ଟିଭ୍ କେସ୍ ୮ ଲକ୍ଷ ତଳେ ରହୁଛି। ଆରୋଗ୍ୟ ହାର ୮୮ ଦଶମିକ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏ ସବୁକୁ ଦେଖି ସରକାରଙ୍କ ଏକ୍ସପର୍ଟ କମିଟି କହିଲାଣି ସବୁ ଠିକ୍ ଠାକ୍ ଚାଲିଲେ ଆସନ୍ତ ଫେବୃଆରୀ ସୁଦ୍ଧା ନିୟନ୍ତ୍ରଣକୁ ଆସିବ କରୋନା। କରୋନା ମହାମାରୀ କ୍ଲାଇମାକ୍ସକୁ ଛୁଇଁ ସାରିଛି। ଦେଶର ୩୦%ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ବୈଜ୍ଞାନିକ ଓ ଡ଼ାକ୍ତରମାନଙ୍କୁ ନେଇ ଗଠିତ ପ୍ୟାନେଲ ମତ ଦେଇଛନ୍ତି।