କୋରୋନା ଭୟ; ଏଥର ମାସ୍କ ପିନ୍ଧି ସେବାୟତ କରିବେ ପୂଜା

ପୁରୀ: ଏଥର ମାସ୍କ ପିନ୍ଧି ସେବାୟତ କରିବେ ପୂଜା । ଶ୍ରୀମନ୍ଦିର ଭିତରେ ସଂକୀର୍ତନ ଜରିଆରେ ପୂଜାପାଠକୁ ବାରଣ କରାଯାଇଛି । ଏହାବ୍ୟତୀତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚାହିଁଲେ ତା’ ପୂର୍ବରୁ ଦର୍ଶନାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିବାକୁ ପଡ଼ିବ। ଆଜି ପୁରୀରେ ଛତିଶା ନିଯୋଗ ବୈଠକରେ କୋରୋନା ମୁକାବିଲା ସମୀକ୍ଷା କରାଯାଇ ଏପରି ନିଷ୍ପତି ନିଆଯାଇଛି।

ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ, ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପରିବାରର କେହି ବିଦେଶରୁ ଫେରିଥିଲେ ଫର୍ମରେ ସ୍ପଷ୍ଟ କରିବେ। ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଏହି ଫର୍ମ ଯୋଗାଇ ଦିଆଯିବ।

କୋରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଶ୍ରୀମନ୍ଦିରରେ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା ଲାଗୁ କରାଯାଇଛି।  ସେବାପୂଜା ବେଳେ ମୁହଁରେ ମୁଖା ପିନ୍ଧିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠକୁ ବାରଣ  କରାଯାଇଛି। ସେବାପୂଜା ବେଳେ ମୁହଁରେ ମୁଖା ପିନ୍ଧିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଧାଡ଼ି ଭିତରେ ୨ ମିଟରର ବ୍ୟବଧାନ ରହିବ। ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ ଭକ୍ତ।

ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ଏବଂ କୌଣସି ଦେବା ଦେବୀ କିମ୍ବା କୌଣସି ପଦାର୍ଥ ଓ ବସ୍ତୁକୁ ଛୁଇଁବାକୁ ବାରଣ କରାଯାଇଛି।  ଜଗମୋହନ ଭିତର ଏବଂ ଅରୁଣ ସ୍ତମ୍ଭ ପାଖରେ ଭକ୍ତଙ୍କ ଗହଳି ଉପରେ କଟକଣା କରାଯିବ । ଯାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବରେ ଜଗମୋହନ ଭିତରକୁ ଛଡ଼ାଯିବ । ଆନନ୍ଦ ବଜାରରେ ବସିବା ଏବଂ ଭୋଜନ ବ୍ୟବସ୍ଥା ଉପରେ କଟକଣା କରାଯିବ।

କୋରୋନାର ମୁକାବିଲା ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଆଯାଇଛି  ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏସ୍‌ପି, ପ୍ରଶାସନିକ ଅଧିକାରୀ, ନିତି ପ୍ରସାଶକ ଓ ସେବାୟତମାନେ ଉପସ୍ଥିତ ଥିଲେ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମସ୍ତ ସତର୍କତାମୂଳକ ପଦକ୍ଷେପକୁ ଉଭୟ ସେବାୟତ, ଭକ୍ତ ଏବଂ ଶ୍ରୀମନ୍ଦିର କର୍ମଚାରୀ କିଭଳି ଗ୍ରହଣ କରିବେ ସେନେଇ ପ୍ରସ୍ତାବ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବା ପୂଜା ଉପରେ ମଧ୍ୟ କିଛିଟା ସତର୍କତା ଅବଲମ୍ବନ କରାଯିବ।

ପୁରୀରେ କୋରୋନା ଭଳି ଭୟଙ୍କର ଭାଇରସ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ସମ୍ପୂର୍ଣ୍ଣ  କ୍ଷମତା ପ୍ରଦାନ କରାଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ସମସ୍ତ ନିଯୋଗ, ସେବକ ଓ ଯାତ୍ରୀମାନେ ସେମାନଙ୍କର ସହଯୋଗ ପ୍ରଦାନ ପାଇଁ ବୈଠକରେ ଅନୁରୋଧ କରାଯାଇଛି।