ଜୀବନ ଯୁଦ୍ଧରେ ହାରିଗଲେ କରୋନା ଆକ୍ରାନ୍ତ ଯବାନ

ବାଲେଶ୍ୱର : କରୋନା ଛଡାଇନେଲା ମାଆର ଭେଣ୍ଡିଆ ପୁଅକୁ । ଭାରତ ମାତାର ସେବା କରିବା ପାଇଁ ଯାଇଥିବା ପୁଅ ଆଜି କରୋନା ସଂକ୍ରମଣରେ ଜୀବନ ଯୁଦ୍ଧରେ ହାରିଯାଇଛି । ଏବେ ପରିସ୍ଥିତି ଏପରି ଯେ ମଲାପୁଅର ମୁହଁକୁ ବି ଦେଖିପାରିଲେନି ମାଆ ବାପା । ତେଣୁ ମାଆ ଛାତି ଫାଟିଯାଉଛି । ସେ ନିରୁପାୟ । ବାହୁନି ବାହୁନି କାନ୍ଦିବା ଛଡା ଆଉ କଣ ବା ସେ କରିପାରିବ । ପୁଅ ସିନା ଚାଲିଗଲା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବୋହୂ କେମିତି ଘରକୁ ଫେରିଆସିବ ସେ ନେଇ ଚିନ୍ତାରେ ସମସ୍ତେ ।

ଏପରି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଜିପୁରର ପ୍ରଭାକର ଘଡାଇଙ୍କ ଘରେ । ପ୍ରଭାକରଙ୍କ ପୁଅ କୈଳାଶ ଛତିଶଗଡ ବିଏସ୍‌ଏଫ୍ ବାଟାଲିଅନରେ କାର୍ଯ୍ୟରତ ଥିଲେ । କିଛି ଦିନ ତଳେ ସେ ଥଣ୍ଡା ଜ୍ୱରରେ ପୀଡିତ ଥିଲେ । ପରୀକ୍ଷା ପରେ ଗତ ୧୮ ତାରିଖରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ତେଣୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଗତ ୨୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ କୈଳାଶଙ୍କର ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାୟପୁରରେ ଚିକିତ୍ସିତ ହେଉଛନ୍ତି ।

ଗୋଟିଏ ପଟେ ପୁଅକୁ ହରାଇବାର ଦୁଃଖ ଅନ୍ୟ ପଟେ ବୋହୂର ଏପରି ଅବସ୍ଥା ଯୋଗୁଁ ଭାଙ୍ଗି ପଡିଛନ୍ତି ପ୍ରଭାକର ଓ ତାଙ୍କ ପତ୍ନୀ ।