ଭାରତରେ ଆଉ ଜଣେ କୋରୋନା ରୋଗୀଙ୍କ ଗଲା ଜୀବନ; ମୃତ୍ୟୁ ସଂଖ୍ୟା ୩ରେ ପହଂଚିଲା

ମୁମ୍ବାଇ: ଭାରତରେ ୩ୟ କୋରୋନା ରୋଗୀଙ୍କର ଜୀବନଗଲା । ମହାରାଷ୍ଟ୍ରର ଜଣେ ୬୪ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହା ପୂର୍ବରୁ ୧୩ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କରୋନା ଯୋଗୁଁ ଜୀବନ ହରାଇଥିଲେ । ମୃତ ମହିଳାଙ୍କୁ ତାଙ୍କ ପୁଅ ଠାରୁ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବା ସୂଚନା ରହିଛି।

ମୃତ ମହିଳାଙ୍କ ପୁଅ ଫେବୃଆରୀ ମାସରେ ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲି ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ତାଙ୍କ ମା’ଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା।

ମହିଳା ଜଣକ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ରେ ପୀଡିତ ଥିଲେ। କରୋନା ଲାଗି ହୋଇଥିବା ରକ୍ତ ପରୀକ୍ଷା ପଜେଟିଭ୍‌ ବୋଲି ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଥିଲା | ସେହିପରି ୧୨ ତାରିଖରେ କର୍ଣ୍ଣାଟକର କୁଲବର୍ଗୀର ଅଞ୍ଚଳର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସେ ସାଉଦୀ ଆରବରୁ ଫେରିଥିଲେ।