କୋରୋନା ଡରରେ ରାଜଧାନୀ ରାସ୍ତା ଖାଁ ଖାଁ

ଭୁବନେଶ୍ୱର: କୋରୋନା ଭୟରେ ଲୋକେ ଆଉ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଲୋକ ଘରୁ ବାହାରିବା ବନ୍ଦ କରିଦେବା ଫଳରେ ଏବେ ରାଜରାସ୍ତା ଖାଁ ଖାଁ ଲାଗୁଛି । ସକାଳୁ ଭୁବନେଶ୍ୱରରେ କମସଂଖ୍ୟକ ବସ୍ ଚଳାଚଳ କରୁଥିବାର ଦେଖିବାକୁ ମିଳିଛି । ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଛି। କେବଳ ନୀତିକାନ୍ତି ହେଉଛି।

ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଏହି ନିୟମ ଲାଗୁ କରିଛନ୍ତି । ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି ନିୟମ ପାଳନ ପାଇଁ ନିର୍ଦେଶ ଜାରି କରାଯାଇଛି । ରାଜ୍ୟର ସମସ୍ତ ଘରୋଇ ସ୍କୁଲ ବନ୍ଦ ରଖିବାକୁ ପୁଣିଥରେ ନିର୍ଦ୍ଦେଶ ଦିଆଯାଇଛି। ୧୬ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ସ୍କୁଲ ବନ୍ଦ ରହିବ । ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ କେହି ବି ବିଦ୍ୟାଳୟକୁ ଆସୁ ନଥିବା ଜଣାଯାଇଛି।

କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ ଉପରେ ରୋକ୍ ଲାଗିଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ରାଜଧାନୀର କୌଣସି ମନ୍ଦିର, ଚର୍ଚ୍ଚ, ମସଜିଦ୍, ଗୁରୁଦ୍ୱାରକୁ ଶ୍ରଦ୍ଧାଳୁମାନେ ଯାଇ ପାରିବେନି। ଧର୍ମାନୁଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ରଖିବା ସମ୍ଭବ ନ ଥିବାରୁ ବିଏମ୍‌ସି ପକ୍ଷରୁ ଏହି ନିର୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ ରୋକ୍ ଲାଗିଥିଲେ ବି ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା ଯଥାରୀତି ହେବ ବୋଲି କୁହାଯାଇଛି।