ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା, ସିଲ ହେଲା ବ୍ୟାଙ୍କ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ଏସବିଆଇ ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି ।ମ୍ୟାନେଜରଙ୍କ କରୋନା ପଜିଟଭ ରିପୋର୍ଟ ଆସିବା ପରେ ସେ କାର୍ଯ୍ୟ କରୁଥିବା ବ୍ୟାଙ୍କକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସିଲ କରାଯାଇଛି । ଏନେଇ ଗଜପତି ଜିଲ୍ଲା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ , ମୁଖ୍ୟ ଶାଖା ପରିଚାଳକ କିଛି ଦିନ ତଳେ ଭୁବନେଶ୍ୱରରୁ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର ହୋଇଥିଲେ । ଗତ କିଛି ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସେଠାରୁ ଆସି ଭୁବନେଶ୍ୱରରେ ଗୋଟିଏ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଗଜପତି ଜିଲ୍ଲାପାଳଙ୍କୁ ଏନେଇ ସୂଚନା ଦିଆଯାଇଥିଲା । ଏହା ପରେ ସେ କାର୍ଯ୍ । କରୁଥିବା ଶାଖାକୁ ସିଲ୍ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ଆଜି ସୁଦ୍ଧା ୩୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୨୮୬ ଜଣ ରାଜ୍ୟର ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।