ଯମ ରାଜା ଅଭିନୟରେ କରୋନା ପାଇଁ ସଚେତନତା କଲେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ

ବରଗଡ଼ : କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ସେହିପରି ଏହି ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଷେଧକ ଔଷଧ ବାହାରି ପାରି ନ ଥିବା ଯୋଙ୍ଗୁ ଏବେ ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ , ମାସ୍କ ପିନ୍ଧିବା ଏବଂ ହାତକୁ ବାରମ୍ବାର ଧୋଇବା ଓ ସେନିଟାଇଜେସନ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

corona awareness

ଏଭଳି କ୍ଷେତ୍ରରେ ସଚେତନତା ହିଁ ମୂଳମନ୍ତ୍ର ପାଲଟିଥିବା ବେଳେ କିଏ ଗୀତ ଗାଉଛି ତ କିଏ ନାଟକ ମାଧ୍ୟମରେ ସଚେତନତା କରୁଛି ତେବେ ଏଭଳି ସଚେତନତା ପାଇଁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କଂସ ଅଭିନେତା ଭୁବନେଶ୍ବର ପ୍ରଧାନ ଏବଂ କଳାକାର ଉପଦେଷ୍ଟା ସମନ୍ବୟ କମିଟିର ସହ-ଆବାହକ ଅଶୋକ ବେହେରା ଆଗେଇ ଆସିଛନ୍ତି। ଭୁବନେଶ୍ବର ଯମ ଏବଂ ଅଶୋକ ଚିତ୍ରଗୁପ୍ତ ଚରିତ୍ରରେ ଅଭିନୟକରି ଆଜି ବରଗଡ଼ ସହରରେ ସଚେତନତା ସୃଷ୍ଟି କରିଛନ୍ତି। ନିଜ ଦୂତ କାଳ ବିକାଳଙ୍କ ସହିତ ସେମାନେ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରୁ ଏକ ଘୋଡାଗାଡିରେ ବସି ବାହାରି ସହର ପରିକ୍ରମା କରି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏଭଳି ଅଭିନବ ସଚେତନତା କାର‌୍ୟ୍ୟକ୍ରମ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।