କୋରୋନା ମୁକାବିଲା: ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ବର: ଦିନକୁ ଦିନ ବଢୁଥିବା କୋରୋନା କାୟାରୁ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । କୋରୋନା ସ୍ଥିତିକୁ ନଜରରେ ରଖି ବାତିଲ ହୋଇଛି ସମସ୍ତ ସରକାରୀ ବୈଠକ । ପରବର୍ତୀ ନୋଟିସ ବା ନିର୍ଦ୍ଦେଶ ଯାଏଁ କୌଣସି ବୈଠକ ବସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ଏହାଛଡା ବର୍ତମାନ କେବଳ କୋରୋନା ସମ୍ପର୍କିତ ବୈଠକ ବସିବ ବୋଲି ସ୍ଥିର କରିଛନ୍ତି ସରକାର । ସେପୁଣି ଆୟୋଜିତ ବୈଠକରେ ୨ ମିଟର ଦୂରରେ ବସିବେ ସମସ୍ତ ଅଧିକାରୀ ବୋଲି ନିର୍ଦ୍ଦେଶ ଜାରି ହୋଇଛି । ସେହିପରି କୌଣସି କ୍ୟାବିନେଟ ବୈଠକ ଥିଲେ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ସ୍ଥିର କରାଯାଇଛି।

ଏତଦ୍ ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବି ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣକୁ ମଧ୍ୟ ବନ୍ଦ କରାଯାଇଛି।