ଭୁବନେଶ୍ୱର: ୧୬୨ ଦେଶରେ ପହଂଚି ସାରିଛି ମହାମାରୀ କୋରୋନା ଭାଇରସ । ସାରା ବିଶ୍ବରେ ୧,୮୩,୧୧୬ ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ମଧ୍ୟ ଏହି ଆକ୍ରନ୍ତଙ୍କ ସଂଖ୍ୟା ୧୨୬ରେ ପହଂଚିଛି । ଏଥିପାଇଁ ସତର୍କ ରହିବାକୁ ପଡିବ । ଜଣେ ବ୍ୟକ୍ତି ଦିନକୁ ପାଖାପାଖି ୨୬୦୦ ଥର ନିଜ ମୋବାଇଲ ଫୋନକୁ ସ୍ପର୍ଶ କରୁଛି । ତେଣୁ ନିଜ ହାତ ଧୋଇବା ବ୍ୟତିତ ଫୋନକୁ ୪ରୁ ୫ ଥର ସଫା କରିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ ।
ସେ କହିଛନ୍ତି ଯେ କୌଣସି ଭୟ ସୃଷ୍ଟି କରିବାର ପରିସ୍ଥିତି ନାହିଁ । ଏହା କେବଳ ଓଡିଶାର କଥା ନୁହେଁ । ସାରା ବିଶ୍ୱରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । କୋରୋନାର ପ୍ରତିକାର ନାହିଁ, ଆମ ଯୁଦ୍ଧ ପ୍ରତିରୋଧ ପାଇଁ ହେବା ଦରକାର । କୋରୋନା ଓଡିଶା ଠୁ ଦୂରରେ ରହିବ ଏହାର କୌଣସି ଗ୍ୟାରେଂଟି ନାହିଁ । ୪ କୋଟି ଓଡିଆଙ୍କ ସୁରକ୍ଷା ପାଇଁ ଆମେ ପଦକ୍ଷେପ ନେଉଛୁ । ସରକାର କୌଣସି ଭୟ ସୃଷ୍ଟି କରୁନାହାନ୍ତି ବୋଲି ଜୋର ଦେଇ କହିଛନ୍ତି ବାଗ୍ଚୀ ।
କୋରୋନା ଠୁ ନିଜକୁ କିପରି ସୁରକ୍ଷିତ ରଖିହେବ, ସେନେଇ ବିଭିନ୍ନ ଉପାୟ କହିଛନ୍ତି ସୁବ୍ରତ । ସେ କହିଛନ୍ତି ଯେ କୌଣସି କାଉଂଟରରେ ଫୋନ୍ ରଖନ୍ତୁ ନାହିଁ । ଯଦି ରଖୁଛନ୍ତି ତାହାଲେ ହାତ ଧୁଅନ୍ତୁ । ସାମାଜିକ ଦୁରତା ରଖନ୍ତୁ ଓ ସରକାରଙ୍କ ଠାରେ ରିପୋର୍ଟିଂ କରନ୍ତୁ । ଆଜି ଯାଏଁ ରାଜ୍ୟ ସରକାରଙ୍କ ଠାରେ ମୋଟ ୧୨୩୯ କଲ ପଞ୍ଜିକରଣ ହୋଇଛି । ୫୫୪ ଟେଲିଫୋନ୍ କଲ୍ , ୬୭୫ ୱେବ୍ ରେଜିଷ୍ଟ୍ରେସନ୍ ସରିଛି । ୧୦୪ ନମ୍ବର କଲକୁ ଆହୁରି ବୃଦ୍ଧି କରାଯିବ । ସରକାରୀ ଡାକ୍ତରଖାନାରେ ୫୪୦ ଆସୋଲୋସନ୍ ବେଡ ତିଆରି ସରିଲାଣି । ବେଡ ସଂଖ୍ୟା ଆହୁରି ବଢିବ । ପ୍ରତି ବ୍ଲକ ଓ ପଂଚାୟତରେ କ୍ୱାରେଂଟାଇନ୍ ଆଇସୋଲେସନ୍ ନିର୍ମାଣ ହେବ । ଏଥିପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମୋଟ ୧୦୦୦୦ କଲ୍ ଆସିଛି । ୧୦୪ଟି ଘରୋଇ ହସ୍ପିଟାଲରେ ଗୋଟିଏ ଲେଖାଏଁ କୋଭିଡ୍ ୧୯ କର୍ଣ୍ଣର ତିଆରି କରିବାକୁ ନିର୍ଦେଶ ଦିଆଯାଇଛି । ମଲ୍ ସପୂର୍ଣ୍ଣ ବନ୍ଦ ହେବ ନାହିଁ । ଏହା ଭିତରେ ଥିବା ଗ୍ରୋସରୀ, ମେଡିସିନ୍, ଫୁଡ୍ ଆଇଟମ ଦୋକାନ ଖୋଲାଯିବ । ବ୍ୟାଙ୍କ ଗୁଡିକ ହ୍ୟାଣ୍ଡ ସାନିଟାଇଜର ଓ ଏଟିଏମରେ ସାନିଟାଇଜର ରଖିବାକୁ ବାଧ୍ୟତା ମୂଳକ କରାଯାଇଛି । ଏହା ବ୍ୟତିତ ହଷ୍ଟେଲ୍, ଆଶ୍ରମ ସ୍କୁଲରେ ୫. ୭୫ ଲକ୍ଷ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି । ଯଦି ପରିସ୍ଥିତିରେ ପରିବର୍ତ୍ତନ ଆସେ, ତାହାଲେ ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ । ପିଡିଏସରେ ଘରେ ରାସନ ପହଂଚାଇ ଦିଆଯିବ ପ୍ରତି ମାସ ୧୯ ତାରିଖରେ ସବୁ ପଂଚାୟତରେ ବୈଠକ ବସିବ ।
ଅନ୍ୟପକ୍ଷେ ଇଟାଲୀରୁ ଫେରିଥିବା ବ୍ୟକ୍ତି, ଯିଏକି କୋରୋନା ଦ୍ୱାରା ଆକ୍ରାନ୍ତ ଥିଲେ ସେ ଏବେ ସୁରକ୍ଷିତ ଥିବା ନେଇ କହିଛନ୍ତି ବାଗ୍ଚୀ । ସେହିପରି ପୁରୀ ଗଜପତି ମହାରାଜା, ମହାରାଣୀ ଓ ତାଙ୍କ ପରିବାର ସୁରକ୍ଷିତ ଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କୁ ସୁବ୍ରତ ବାଗଚୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।