ସମ୍ବିଧାନ ଦିବସରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ରୀୟ କକ୍ଷରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ । ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବ୍ୟତୀତ ଅନ୍ୟାନ୍ୟ ପଦାଧିକାରୀ ଅଂଶଗ୍ରହଣ କରିବେ ।

କାର୍ଯ୍ୟକ୍ରମର ଆୟୋଜନ ଆଜି ପୂର୍ବାହ୍ନ ୧୧ଟାରେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ସମ୍ବିଧାନସଭା ଦ୍ୱାରା ୧୯୪୯ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ସୌଜନ୍ୟତାମୂଳକ ଭାବେ ଗ୍ରହଣ କରାଯାଇଥିଲା । ଏଥି ପାଇଁ ଏହି ଦିନ ସମ୍ବିଧାନ ଦିବସ ପାଳନ କରାଯାଉଛି । ମାତ୍ର ସମ୍ବିଧାନ ୧୯୫୦ ଜାନୁୟାରୀ ୨୬ରେ ଲାଗୁ ହୋଇଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମଧ୍ୟ ସଂସଦର ଉଭୟ ଗୃହରେ ଯୁଗ୍ମ ବୈଠକକୁ ବହିଷ୍କାର କରିପାରନ୍ତି । କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ତୃଣମୂଳ କଂଗ୍ରେସ ଓ ଡିଏମକେ ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଯୁଗ୍ମ ବୈଠନରେ ଭାଗ ନ ନେବାକୁ ଚିନ୍ତା କରିଛନ୍ତି । ବିରୋଧୀ ଦଳ ନେତାମାନେ ବୈଠକ ବହିଷ୍କାର କରି ଡକ୍ଟର ଭିମରାଓ ଆମ୍ବେଦକରଙ୍କ ପ୍ରତିମା ସମ୍ମୁଖରେ ପ୍ରଦର୍ଶନ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।