ଅଗଷ୍ଟ ୧୦ରେ କଂଗ୍ରେସ କାର୍ଯ୍ୟସମିତି ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ସ୍ୱୀକାର କରିବା ଏବଂ ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସଂସଦର ଅଧିବେଶନ ଶେଷ ହେବା ପରେ ଅଗଷ୍ଟ 10ରେ କଂଗ୍ରେସର କାର୍ଯ୍ୟସମିତି ବୈଠକ ଅନୁଷ୍ଠିତ ହେବ । ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଅନୁମାନ କରାଯାଉଛି ଯେ ସିଡବ୍ଲୁସିର ବୈଠକରେ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିପାରେ । 

କଂଗ୍ରେସରେ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ଅଧ୍ୟକ୍ଷ କରିବା ପାଇଁ ଦାବି ଯେତିକି ତୀବ୍ର ହେବାରେ ଲାଗିଥିଲା ପ୍ରିୟଙ୍କା ନିଜକୁ ସେତିକି ଦୂରେଇ ରଖିଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ଦଳର ବିରିଷ୍ଠ ନେତାଙ୍କୁ ସ୍ପଷ୍ଟ କରି ସାରିଛନ୍ତି ଯେ ସେ ଅଧ୍ୟକ୍ଷ ପାଇଁ ବିକଳ୍ପ ନୁହନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀ କୋର କମିଟିକୁ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାରରୁ ହେବେ ନାହିଁ । 

କଂଗ୍ରେସର ସିଡବ୍ଲୁସିର ବୈଠକ ଆୟୋଜନ କରିବା ଉପରେ ଗତ ଦେଢ ମାସ ଧରି ଅନେକ ଆଲୋଚନା ଜାରି ରହିଥିଲା, କିନ୍ତୁ ତାରିଖ ଧାର୍ଯ୍ୟ କରାଯାଇ ପାରିନଥିଲା । ପାର୍ଟିର ନିକଟତର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଗ୍ରହଣ କରାଯିବା ପରେ ଦଳର ବରିଷ୍ଠ ନେତା ପାର୍ଟିକୁ କିପରି ପରିଚାଳଣା କରାଯିବ ତାହା ଉପରେ ନିଷ୍ପତି ନେବେ । ଏହା ସହ ନୂଆ ଅଧ୍ୟକ୍ଷ କିପରି ଚୟନ କରାଯିବ ତାହା ଉପରେ ମଧ୍ୟ ନିଷ୍ପତି ନିଆଯିବ ।