ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ: ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ବାବଦ ଯେଉଁ ଖର୍ଚ୍ଚ ତାହା କଂଗ୍ରେସ ବହନ କରିବ ବୋଲି ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଲିଖିତ ବିବୃତିରେ କହିଛନ୍ତି ।

ସେଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ରେଳ ଯାତ୍ରା ବାବଦ ଖର୍ଚ୍ଚ ପ୍ରତି ପ୍ରଦେଶ କଂଗ୍ରେସ କମିଟି ବହନ କରିବା ସହ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ନିଷ୍ପତି ଗ୍ରହଣ କରିଛି। ଏହା ହେଉଛି ଶ୍ରମଜୀବୀଙ୍କୁ ସହାୟତା ଓ ମାନବ ସେବା ସଙ୍କଳ୍ପରେ କଂଗ୍ରେସ ସାମାନ୍ୟ ଅବଦାନ।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସୋନିଆ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ବାରମ୍ବାର ଶ୍ରମିକ ମାନଙ୍କ ପାଇଁ ମାଗଣା ଟ୍ରେନ୍ ଯାତ୍ରା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛି, କିନ୍ତୁ ଦୁର୍ଭାଗ୍ୟବଶତଃ ନା ସରକାର ନା ରେଳ ମନ୍ତ୍ରଣାଳୟ କେହି ଶୁଣିଲେ ନାହିଁ। ତେଣୁ ଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତି ନେଇଛି ଯେ ରାଜ୍ୟ କଂଗ୍ରେସ କମିଟିର ପ୍ରତ୍ୟେକ ୟୁନିଟ୍ ପ୍ରତ୍ୟେକ ଅଭାବୀ ଶ୍ରମିକଙ୍କ ଘରକୁ ଫେରିବା ପାଇଁ ଟ୍ରେନ୍ ଯାତ୍ରାର ଟିକେଟ୍ ମୂଲ୍ୟ ବହନ କରିବେ ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଶ୍ରମିକମାନଙ୍କ ଏହି ଅସୁବିଧା ସମୟରେ ସେମାନଙ୍କ କାନ୍ଧକୁ କାନ୍ଧ ମିଶାଇ ଏହି ମାନବ ସେବା ସଂକଳ୍ପରେ କଂଗ୍ରେସ ସାମିଲ ହେବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।