ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ତାତି ଦେଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀଦଳ। ଏହାପରେ ମୁଲତବୀ ପ୍ରସ୍ତାବର ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାତ୍ର ଏଥିରେ ବିରୋଧୀ ଦଳ ସନ୍ତୁଷ୍ଟ ନ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଥିଲେ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ । ବେକରେ ଦଉଡି ଲାଗି, ଶ୍ୱାସରୁଦ୍ଧ ହୋଇ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି । ପରେ ରୂପେଶ ଭଦ୍ରଙ୍କ ନାଁରେ ପ୍ରମାଣ ମିଳିବାରୁ ତାଙ୍କୁ ୩୦୬ ଦଫାରେ ଗିରଫ କରାଯାଇଛି । ଘଟଣା ନେଇ ଅଧିକ ତଦନ୍ତ ଚାଲିଛି । ତେବେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇ ସିବିଆଇ କିମ୍ବା ଏସଟିଏଫ୍ ତଦନ୍ତ ଦାବି କରାଯାଇ କକ୍ଷତ୍ୟାଗ କରାଯାଇଥିଲା।
ପ୍ରଶ୍ନକାଳ ବାତିଲ୍ କରି ତୁରନ୍ତ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି ଦାବି କରିଥିଲେ ବିରୋଧୀ । ଏହାକୁ ନେଇ ପ୍ରବଳ ହୋହଲ୍ଲା ପରେ ଗୃହକୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ବିଜେପି ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେପଟେ ଆଜି ଆରମ୍ଭରୁ ବାରମ୍ବାର ମୁଲତବୀ ହେଉଛି ବିଧାନସଭା । ବିରୋଧୀଙ୍କ ହୋହଲ୍ଲା ପାଇଁ ଆଜି ଜମା ଚାଲିପାରିନି ଗୃହ । ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ପରେ ଦ୍ୱିତୀୟ ଦିନରେ ଦୁଇ ଦୁଇ ଥର ମୁଲତବୀ ହୋଇଛି ବିଧାନସଭା ।
ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ପ୍ରଶ୍ନ ଉତ୍ତର କାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଧାୟକ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ତଦନ୍ତ ଦାବି, ଯାଜପୁର ଏସପିଙ୍କ ବହିଷ୍କାର, ବେଆଇନ ଘରର ପୃଷ୍ଠପୋଷକ କିଏ , ରଂଗଶାଳାରୁ ସିସିଟିଭି ଗଲା କୁଆଡେ ବୋଲି ବିଜେପି ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ।
ଗତକାଲି ବିଧାନସଭାରେ ବିଜେପି ବିଧାୟକ ଦଳ ଉପନେତା ସିଧା ସିଧା ପଚାରିଥିଲେ ଯେ କେଉଁ ପରିସ୍ଥିତିରେ ଜଣେ ସରକାରୀ କର୍ମଚାରୀ ହରିଦାସପୁର ରଙ୍ଗଶାଳାକୁ ଗଲେ, ତାର ଜବାବ ଦିଅନ୍ତୁ ସରକାର। ସରକାରୀ କାଗଜପତ୍ରରେ ରଙ୍ଗଶାଳାକୁ ଭାଙ୍ଗି ଦିଆଯାଇଛି କେମିତି? ଜଣେ ଅଣ ଓଡ଼ିଆ ଏସପି ଜଣେ ଓଡ଼ିଆ ବୋହୂର ଇଜ୍ଜତ ହନନ କରିବେ? କିଏ ତାଙ୍କୁ ସେହି ଅଧିକାର ଦେଲା? ଲାଗିଥିବା ସିସିଟିଭି କୁଆଡେ ଗଲା? ଶବ ବ୍ୟବଚ୍ଛେଦ ଦିନ ଅଭିଯୁକ୍ତ ରୂପେଶ ଭଦ୍ର ୮ଟି ମଟର ସାଇକେଲରେ କିଛି ଯୁବକଙ୍କୁ ନେଇ ସେଠାକୁ କାହିଁକି ଯାଇଥିଲା? କଂଗ୍ରେସ ନେତା ଶ୍ରୀ ମିଶ୍ର ଗୃହ ବାହାରେ ଆଉ ଦି’ ପାଦ ଆଗକୁ ଯାଇ ସରକାରଙ୍କୁ ପଚାରିଛନ୍ତି ଯେ ଜଣେ ଚା’ ବାଲା ଶହ ଶହ କୋଟିର ମାଲିକ ହେଲା କେମିତି?ସରକାରଙ୍କ ଜମିରେ ରଙ୍ଗଶାଳା ହେଲା, ଅଥଚ କେହି ଜାଣିପାରିଲେନି? ଶବ ବ୍ୟବଚ୍ଛେଦ ରିପୋର୍ଟର ଆଉ ଥରେ ବ୍ୟବଚ୍ଛେଦ କରାଯିବାର ଆବଶ୍ୟକତା ରହିଛି।