ଏସ୍‌ପିଜି ସଂଶୋଧନ ବିଲ୍‌ ସଂସଦରେ ଗୃହୀତ; କଂଗ୍ରେସର କକ୍ଷତ୍ୟାଗ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଏସ୍‌ପିଜି ସଂଶୋଧନ ବିଲ୍‌-୨୦୧୯ ଗୃହୀତ ହୋଇଯାଇଛି। ରାଜ୍ୟସଭାରେ ବିଲ୍‌ ଉପରେ ଆଲୋଚନା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧି ପରିବାରକୁ ନିଶାଣ କରିଥିଲେ। ସେ କହିଥିଲେ ଯେ କେବଳ ଗାନ୍ଧି ପରିବାର ନୁହେଁ, ଦେଶର ୧୩୦ କୋଟି ଲୋକଙ୍କ ସୁରକ୍ଷା ଦାୟିତ୍ବ ସରକାରଙ୍କ ଉପରେ ରହିଛି। ଗାନ୍ଧୀ ପରିବାରର ସୁରକ୍ଷା ନେଇ କଂଗ୍ରେସ ବିଭ୍ରାନ୍ତି ସୃଷ୍ଟି କରୁଛି। ଏହି ପରିବାରର ସୁରକ୍ଷା ହଟାଯାଇନାହିଁ, କେବଳ କିଛି ପରିବର୍ତ୍ତନ କରାଯାଇଛି ବୋଲି ଶାହ କହିଛନ୍ତି। ଏସ୍‌ପିଜିକୁ କେବଳ ଆଭିଜାତ୍ୟର ପ୍ରତୀକ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ। ବାସ୍ତବତାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶାହ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ବିଲ୍‌କୁ ଜୋର୍‌ଦାର ବିରୋଧ କରି କକ୍ଷତ୍ୟାଗ କରିଥିଲା।

ଏସ୍‌ପିଜି ସଂଶୋଧନ ବିଲ୍‌ ଗୃହୀତ ହୋଇଥିବାରୁ ଏବେ ଏସ୍‌ପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପରିବାରକୁ ହିଁ ମିଳିବ। ପୂର୍ବ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହିତ ରହୁଥିବା ପରିବାର ସଦସ୍ୟଙ୍କୁ ୫ ବର୍ଷ ପାଇଁ ଏହି ସୁରକ୍ଷା ମିଳିବ। ପୂର୍ବରୁ କେବଳ ଗାନ୍ଧି ପରିବାରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏସ୍‌ପିଜିରେ ୪ ଥର ସଂଶୋଧନ ଅଣାଯାଇଥିଲା । ଏବେ ଏନ୍‌ଡିଏ ସରକାରଙ୍କ ପଂଚମ ସଂଶୋଧନ ଦେଶର ସ୍ବାର୍ଥକୁ ଧ୍ୟାନରେ ରଖି କରାଯାଇଛି ବୋଲି ଶାହ କହିଛନ୍ତି। ଜେଡ୍‌ ପ୍ଲସ୍‌ ସୁରକ୍ଷା ଗାନ୍ଧି ପରିବାର ପାଇଁ ପର୍ଯ୍ୟାପ୍ତ ଥିଲେ ମଧ୍ୟ କେବଳ ଏସ୍‌ପିଜି ପାଇଁ ଜିଦ୍‌ ଧରିବା ଗ୍ରହଣୀୟ ନୁହେଁ ବୋଲି ଶାହ କହିଛନ୍ତି।

ଅନ୍ୟପକ୍ଷରେ ଆଜି ଲୋକସଭାରେ ପିଆଜ ଦରକୁ ନେଇ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଥିଲେ। ଦେଶର ବିଭିନ୍ନ ସହରରେ ପିଆଜ ଦର ୧୦୦ ଟଙ୍କା ଅତିକ୍ରମ କରିଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାର ନିୟନ୍ତ୍ରଣ ଦିଗରେ ଆଦୌ ପ୍ରୟାସ କରୁନାହାନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷେ ଚୌଧୁରୀ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା ବୋଲି କହିଥିବାରୁ ଆଜି କଂଗ୍ରେସ ଏବଂ ଅଧୀରଙ୍କୁ କଡ଼ା ସମାଲୋଚନା କରିଥିଲେ ବିଜେପି ସାଂସଦ ପୁନମ ମହାଜନ। କଂଗ୍ରେସ ଦଳର ଅଧ୍ୟକ୍ଷା ଜଣେ ମହିଳା ଏବଂ ସେ କେବଳ ପରିବାରବାଦ ପାଇଁ କାମ କରୁଥିବା ବେଳେ ଅଧୀର ରଂଜନ କେବଳ ତାଙ୍କର ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି। ଦେଶର ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସ କାହିଁକି କାମ କରୁନାହିଁ ବୋଲି ପୁନମ୍‌ ପ୍ରଶ୍ନ କରିଥିଲେ।

ରାଜ୍ୟସଭାରେ ଆଜି ଏସ୍‌ପିଜି ସଂଶୋଧନ ବିଲ୍‌ ଉପରେ ବିତର୍କ ସମୟରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ସେ ଜୀବିତ ଦେଖିବାକୁ ଚାହୁଥିଲେ, କାରଣ ରାଜୀବ ଜୀବିତ ଥିଲେ ସେ ତାଙ୍କୁ ଦୁର୍ନୀତି ମାମଲାରେ ଜେଲ୍‌ ଯିବା ଦେଖିପାରିଥାନ୍ତେ। ଅନ୍ୟପକ୍ଷରେ ଇନ୍ଦିରା ଗାନ୍ଧିଙ୍କ ସଂପର୍କରେ ସ୍ବାମୀ କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ହିଁ ବାସଭବନରେ ହତ୍ୟା କରିଥିଲେ। ସେ କୌଣସି ଗସ୍ତ ସମୟରେ ଥିବା ବେଳେ ସେଭଳି ଘଟିନଥିଲା। ଗାନ୍ଧି ପରିବାର ‘ଧର୍ମନିରପେକ୍ଷ’ ଥିବାରୁ ଏବେ ଏଲ୍‌ଟିଟିଇ କିମ୍ବା ଇସ୍‌ଲାମିକ୍‌ ଆତଙ୍କବାଦୀଙ୍କ ଆଡ଼ୁ ସେମାନଙ୍କ ପ୍ରତି କୌଣସି ବିପଦ ସମ୍ଭାବନା ନାହିଁ ବୋଲି ସ୍ବାମୀ କହିଛନ୍ତି।