ଦେଶର ପ୍ରଥମ ସାଂସଦଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୋଦି

ଚେନ୍ନାଇ: ଆଉ ଜଣେ ନେତାଙ୍କ ମୁଣ୍ଡ ନେଲା କରୋନା । ମହାମାରୀ କରୋନା ଭାଇରସରେ ପ୍ରଥମଥର ପାଇଁ ଜଣେ ସାଂସଦଙ୍କ ଜୀବନ ନେଇଛି। କନ୍ୟାକୁମାରୀରରୁ କଂଗ୍ରେସ ସାଂସଦ ବସନ୍ତ କୁମାରଙ୍କ କରୋନାରେ ମୃତ୍ୟୁ ଘଟିଛି । କୋରୋନାରେ ସଂକ୍ରମିତ ହେବାପରେ ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତେବେ ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୭୦ ବର୍ଷୀୟ ନେତାଙ୍କୁ ୧୦ ଅଗଷ୍ଟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ସହ ସେ ନିମୋନିଆରେ ପୀଡିତ ଥିଲେ । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ତାମିଲନାଡୁରୁ ପ୍ରଥମ ଥର ସାଂସଦ ହୋଇଥିବା ବସନ୍ତକୁମାର ଦୁଇଥର ବିଧାୟକ ଥିଲେ।

ତେବେ ଲୋକସଭା ସାଂସଦ ବସନ୍ତକୁମାରଙ୍କର ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଟୁଇଟ କରି ଲେଖିଛନ୍ତି, ବ୍ୟବସାୟ ଏବଂ ସାମାଜିକ ସେବା ପ୍ରୟାସରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ ସହ କଥାବାର୍ତ୍ତା ସମୟରେ, ମୁଁ ତାମିଲନାଡୁର ଅଗ୍ରଗତି ପ୍ରତି ତାଙ୍କର ଆଗ୍ରହ ଦେଖିଥିଲି । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ।