ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା ଘୋଷଣା, ୬ ରାଜ୍ୟ ପାଳଙ୍କୁ ଦେବେ ଇସ୍ତଫା ପତ୍ର

ଭୁବନେଶ୍ବର : ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା । କହୁଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ କାଳେ ସେ ଇସ୍ତଫା ଦେଲେ । କୁନ୍ଦୁଲି କଥା କହି ସଗରିଆ, ବିଜେଡି ଓ କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି, ଚର୍ଚ୍ଚା କିନ୍ତୁ ଅଲଗା । ସଗରିଆ ବିଜେପିରେ ମିଶିବାକୁ ଯାଉଥିବା ଆଲୋଚନା ହେଉଛି । ସେପଟେ ସଗରିଆଙ୍କ ଇସ୍ତଫା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪ରେ ପହଞ୍ଚିଛି । ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ପଦ ଆଉ କଂଗ୍ରେସ ପାଖରେ ରହି ନପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

ବିଧାୟକ ପଦରୁ ଇସ୍ତଫା ଦେଲେ କଂଗ୍ରେସର କୃଷ୍ଣଚନ୍ଦ୍ର ସଗରିଆ । ନ୍ୟାୟ ନପାଇ କୁନ୍ଦୁଲିର ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରି ସ୍ବର୍ଗରେ ଥିବା ବେଳେ ସଗରିଆ କହୁଛନ୍ତି ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲେ । ନିଜ ନିର୍ବାଚନ ମଣ୍ଡଳୀର ଜଣେ ଦଳିତ ଝିଅଙ୍କୁ ନ୍ୟାୟ ଦେଇ ନପାରିଥିବାରୁ ବିଧାୟକ ପଦରେ ରହିବାର ତାଙ୍କର ନୈତିକ ଅଧିକାର ନଥିବା ଗଣମାଧ୍ୟମକୁ କହିଛନ୍ତି କୃଷ୍ଣ ସଗରିଆ । ଏବେ ସେ ଗାଁ ଗାଁ ବୁଲି ଦଳିତ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ପାଇଁ ଲଢେଇ କରିବେ ବୋଲି କହୁଛନ୍ତି । ଡିସେମ୍ବର ୬ ରେ ଭୁବନେଶ୍ବରରେ ବିଶାଳ ଦଳିତ ସମାବେଶ କରିବାକୁ ମଧ୍ୟ ଘୋଷଣା କରିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ ।

ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ବି କଂଗ୍ରେସରୁ ଇସ୍ତଫା ଦେଇନାହାଁନ୍ତି ସଗରିଆ । ପୁଣି ଇସ୍ତଫା ବାବଦରେ ନା ପିସିସି ସଭାପତିଙ୍କୁ ଜଣାଇଛନ୍ତି ନା ବିରୋଧୀ ଦଳ ନେତାଙ୍କୁ । ସେମାନଙ୍କୁ ଏବାବଦରେ ଜଣାଇବା ଆବଶ୍ୟକ ନଥିବା କହି ଦଳରେ ଏକ ରକମ କମ୍ପନ ସୃଷ୍ଟି କରିଛନ୍ତି । ସେପଟେ ସଗରିଆ କଂଗ୍ରେସରେ ରହିବେ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କୁନ୍ଦୁଲି ଗଣ ଦୁଷ୍କର୍ମ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ବିଜେଡିରେ ମିଶୁ ନାହାନ୍ତି ବୋଲି ସଫା ସଙ୍କେତ ଛାଡ଼ିଛନ୍ତି । ତେବେ ସଗରିଆ, ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ସେପଟେ ପିସିସି ସଭାପତିଙ୍କ କହିବା କଥା, ବିଧାୟକ ପଦରୁ ଇସ୍ତଫା ନଦେଇ ବି ସଗରିଆ, କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ଲଢେଇ କରିପାରିଥାନ୍ତେ । ତଥାପି ସଗରିଆଙ୍କୁ ଡାକି ଆଲୋଚନା କରିବାକୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ବାଚସ୍ପତି ଏବେ ଭୁବନେଶ୍ବରରେ ନଥିବାରୁ ସଗରିଆ, ତାଙ୍କ ଇସ୍ତଫା ପତ୍ର ଦେଇପାରି ନାହାନ୍ତି । ବାଚସ୍ପତି ତାଙ୍କୁ ୬ ତାରିଖ ସମୟ ଦେଇଥିବାରୁ, ସେହିଦିନ ସେ ହାତେହାତେ ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି ସଗରିଆ । କିଛିଦିନ ତଳେ କଂଗ୍ରେସର ଅନୁସୂଚିତ ଜନଜାତି ସେଲରୁ ସଗରିଆଙ୍କୁ ହଟାଇ ଦେବା ପରେ ସେ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ସେପଟେ ବିଧାୟକ ପଦରୁ ସଗରିଆଙ୍କ ଇସ୍ତଫା ପରେ ବିଧାନସଭାରେ କଂଗ୍ରେସର ସିଟ୍ ସଂଖ୍ୟା ୧୪କୁ ଖସି ଆସିଛି । ଫଳରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।