୫ ରାଜ୍ୟର ଜନାଦେଶ : ୩ ରାଜ୍ୟରେ ବିଜେପିକୁ ପଛରେ ପକାଇଲା କଂଗ୍ରେସ

ଭୁବନେଶ୍ବର : କଂଗ୍ରେସ ଖୁସି ବିଜେପିରେ ଗମ୍‌ । କାରଣ ୫ ରାଜ୍ୟର ସତ୍ତାର ଗେମ୍‌ରେ ବିଜେପିକୁ ପଛରେ ପକାଇ ଦେଇଛି କଂଗ୍ରେସ। ରାଜସ୍ଥାନରେ କଂଗ୍ରେସ କ୍ଲିନ ସ୍ବିପ କରିବ ବୋଲି ଅନୁମାନ ଥିଲା କିନ୍ତୁ ଛତିଶଗଡ଼ରେ ବି କଂଗ୍ରେସ ବିଜେପିକୁ ବହୁ ପଛରେ ପକେଇ ଦେଇଛି।

ବିଜୟର ଖୁସି। କଂଗ୍ରେସ ଶିବିରରେ ଖୁସିର ମାହୋଲ। ବାଜା ବାଣରେ କମ୍ପୁଛି କଂଗ୍ରେସ ଶିବି। ପରସ୍ପରକୁ ଲଡୁ ଖୁଆଇ ଚାଲିଛି ଉତ୍ସବ ପାଳନ। କାରଣ କଂଗ୍ରେସ ପାଇଁ ଜନତା ଦେଇଛନ୍ତି ଖୁସିର ଲଡୁ। ରାଜସ୍ଥାନରେ ଖୁସି, ଛତିଶଗଡ଼ରେ ଖୁସି। ଆଉ ମଧ୍ୟପ୍ରଦେଶ ବି କିଛି କମ୍‌ ନୁହେଁ। କଡ଼ା ଟକ୍କର ସତ୍ତ୍ବେ ସତ୍ତାର ଦାବିଦାର ହୋଇ ରହିଛି କଂଗ୍ରେସ। ରାଜସ୍ଥାନରେ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ସିଧା ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା। କଂଗ୍ରେସ ପାଇଁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଥିଲେ ମଧ୍ୟ କଂଗ୍ରେସ ବସୁନ୍ଧରାଙ୍କୁ ଗାଦିଚ୍ୟୁତ କରିଛି।

ଛତିଶଗଡ଼ରେ କିନ୍ତୁ ରମଣ ସିଂହଙ୍କ ପାଇଁ ବଡ଼ ଝଟକା ହୋଇଛି। ୧୫ ବର୍ଷ ଧରି ଶାସନରେ ଥିଲେ ରମଣ। ବିଜେପିର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ।  କଂଗ୍ରେସ ଠାରୁ ବିଜେପି ବହୁ ପଛରେ ରହିଯାଇଛି। କୌଣସି ଏକଜିଟ ପୋଲ୍‌ ବି ଏମିତି ଅନୁମାନ କରିନଥିଲେ, ଦୁଇ ତୃତୀୟାଂଶ ଆସନ ମାଡ଼ି ନେଇଛି କଂଗ୍ରେସ। ଆଉ ଏ ହେଉଛି ଛତିଶଗଡ଼ ପିସିସି ସଭାପତିଙ୍କ ଖୁସିର ଚିତ୍ର।

ତେବେ କଡ଼ା ଟକ୍କର ହୋଇଥିଲା ମଧ୍ୟ ପ୍ରଦେଶରେ। ଦିନ ସାରା କେତେବେଳେ କଂଗ୍ରେସ ଆଗେଇ ଯାଉଥିଲା ତ ଆଉ କେତେବେଳେ ବିଜେପି ଆଗେଇ ଯାଉଥିଲା ।  ନେତା ଟେନସନରେ କର୍ମୀ ବି ଟେନ୍‌ସନରେ। ଆଉ ଶେଷରେ ଝୁଲା ବିଧାନସଭାର ସଙ୍କେତ ଆସିଥିଲେ ମଧ୍ୟ କଂଗ୍ରେସ ଆଗରେ ରହିଛି। ଏବେ ସତ୍ତାର ଡୋରି ରାଜଭବନରେ। ଖାଲି ସେତିକି ନୁହେଁ ସେଠାରେ ଛୋଟ ଛୋଟ ଦଳ ଏସପି, ବିଏସପି ସ୍ବାଧୀନ ମଧ୍ୟ ଗେମ୍‌ ଚେଞ୍ଜର ହେବେ। ଆସନ୍ତୁ ନଜର ପକାଇବା ମଧ୍ୟ ପ୍ରଦେଶରେ କାହାର ସ୍ଥିତି କେତେ।

ସମୟ ପୂର୍ବରୁ ସରକାର ଭାଙ୍ଗିବା, ଆଉ ତେଲେଙ୍ଗାନା ନାରା କେସିଆରଙ୍କ ପାଇଁ ଆଶୀର୍ବାଦ ହୋଇଛି। ଏକ ତରଫା ଭାବେ  ନିର୍ବାଚନ ଜିତି ପୁଣି କ୍ଷମତାକୁ ଫେରୁଛନ୍ତି କେ ଚନ୍ଦ୍ରଶେଖର ରାଓ। ଆଉ ଶତ୍ରୁତା ଭୁଲି କଂଗ୍ରେସ ସହ ମେଣ୍ଟ କରିବା ମହଙ୍ଗା ପଡ଼ିଛି ନାଇଡୁଙ୍କୁ। ଜନତା ସିଧା ପ୍ରତ୍ୟାଖ୍ୟାନ କରିଛନ୍ତି। ନଜର ପକାନ୍ତୁ ତେଲେଙ୍ଗାନାର ଫଳାଫଳ ଉପରେ।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି। ସେଭେନ ସିଷ୍ଟର ଭାବେ ଜଣା ଏହି ୭ ରାଜ୍ୟରେ କୌଣସି ବି ଗୋଟିଏ ରାଜ୍ୟରେ କଂଗ୍ରେସ ରହିନାହିଁ। ଏପରିକି ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନୱାଲ ଲଢ଼ିଥିବା ଦୁଇଟି ଯାକ ଆସନରୁ ପରାଜିତ ହୋଇଛନ୍ତି। ଆଉ ସେଠାରେ ଜନତା ଜନାର୍ଦ୍ଦନ ମିଜୋ ନ୍ୟାସ ନାଲ ପ୍ରଣ୍ଟକୁ କ୍ଷମତା ଅର୍ପଣ କରିଛନ୍ତି। ଦେଖନ୍ତୁ ସେଠାରେ କାହାର ଆସନ କେତେ।

ମୋଦି ମ୍ୟାଜିକ୍‌ ଚାଲିଲାନି, ଚାଲିଲାନି ମନ୍ଦିର ମୁଦ୍ଦା। କେବଳ ଗୋଟିଏ ସରକାରୀ ବିରୋଧୀ ହାୱା। ଯାହାକି ୪ ଟି ରାଜ୍ୟରେ ପ୍ରମାଣିତ ହୋଇଛି। କେବଳ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ସରକାରୀ ବିରୋଧୀ ହାୱାକୁ ପାର କରି କ୍ଷମତାକୁ ଫେରିଛନ୍ତି।