ଭୁବନେଶ୍ବର : କଂଗ୍ରେସ ଜିଲ୍ଲା ସଭାପତିଙ୍କ ହାତରେ ରହିବ ଟିକେଟ ଚାବି । ସେମାନଙ୍କ ରିପୋର୍ଟ ଆଧାରରେ ୨୦୧୯ ଟିକେଟ କିଏ ନେବ ତାହା ସ୍ଥିର କରିବ ପିସିସି ଓ ଏଆଇସିସି । ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ବୈଠକରେ ଏଭଳି ସଂଙ୍କେତ ଦେଇଛନ୍ତି ପିସିସି ସଭାପତି । ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ଆରମ୍ଭ ହୋଇଛି ଦୁଇ ଦିନିଆ ବୈଠକ । ସଂଗଠନକୁ ମଜବୁତ କରିବା ନେଇ ଏଥିରେ ମାନସ ମନ୍ଥନ ଚାଲିଛି ।ରାଜ୍ୟ କଂଗ୍ରେସର ଫୋକସରେ ଜିଲ୍ଲା ସଂଗଠନ । ଜିଲ୍ଲାସ୍ତରରେ ସଂଗଠନ ମଜବୂତ କରିବା ନେଇ କଂଗ୍ରେସର ମାନସ ମନ୍ଥନ । ଏଥିଲାଗି ଦୁଇ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି ପିସିସି । ଆଜି ୧୦ ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ବୈଠକ ହୋଇଛି । କାଲି ବାକି ୨୩ ସାଂଗଠନିକ ଜିଲ୍ଲାର ବୈଠକ ହେବ । କିଭଳି ଭାବେ କଂଗ୍ରେସ କାର୍ଯ୍ୟକ୍ରମ ଆଗକୁ ବଢିବ ଏବଂ କେଉଁମାନେ କାମକୁ ଆଗକୁ ବଢାଇବେ, ସେନେଇ ଡିସିସି ଟିମ୍ କାନରେ ମନ୍ତ୍ର ଫୁଙ୍କିଛନ୍ତି ନିରଞ୍ଜନ ଆଣ୍ଡ କୋ । ଜିଲ୍ଲା ସଂଗଠନର ଗୁରୁତ୍ୱ ବୁଝାଇଛନ୍ତି ପିସିସି ସଭାପତି । ଜିଲ୍ଲା ସଭାପତି ଯେଉଁ ରିପୋର୍ଟ ଦେବେ ତାକୁ ଅନୁଧ୍ୟାନ କରିବା ପରେ ୨୦୧୯ ପାଇଁ ଦଳ କାହାକୁ ଟିକେଟ ଦେବ ତାହା ସ୍ଥିର ହେବ ।
ସବୁ ସିଟ୍ ଉପରେ ଧ୍ୟାନ ନଦେଇ ଜିତିବା ସିଟ୍ ଉପରେ ଫୋକସ ଦେବାକୁ ପରାମର୍ଶ ଦେବାକୁ ପ୍ରସ୍ତାବ ଆସିଛି । ସେହିଭଳି ନିରଞ୍ଜନ ସମସ୍ତଙ୍କୁ କହିଛନ୍ତି, ନୋ- ଗ୍ରୁପିଜମ୍ । ଓାନ୍ ମ୍ୟାନ୍- ଓାନ୍ ପୋଷ୍ଟ ପ୍ରସଙ୍ଗକୁ ନେଇ ବିବାଦ ଉଠିଛି, ସେଥିପାଇଁ ନିରଞ୍ଜନଙ୍କ ପାଇଁ ଚାଲେଞ୍ଜ କିପରି କଂଗ୍ରେସ କନ୍ଦଳ ସାମ୍ନାକୁ ନଆସୁ । ଜୁନ୍ ଶେଷ ସୁଦ୍ଧା ଜିଲ୍ଲା ସଂଗଠନକୁ ପୁନର୍ଗଠନ କରିବାକୁ ବୈଠକରେ ନିଷ୍ପତି ହୋଇଛି ।
ହାତରେ କମ ସମୟ ତେଣୁ ଏହାରି ଭିତରେ ଦଳୀୟ ସଂଗଠନକୁ ମଜବୁତ କରି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ କଂଗ୍ରେସ କସରତ ଆରମ୍ଭ ଭିଡିଛି।