ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ: କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଂଟି, ଋଣ ନସୁଝିଲେ ଚାଷୀଙ୍କୁ ଯିବାକୁ ପଡିବନି ଜେଲ

ନୂଆଦିଲ୍ଲୀ:  ଲୋକସଭା ନିର୍ବାଚନ ୨୦୧୯ରେ ସତ୍ତାକୁ ଆସିବା ପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମୋଦି ସରକାର ଅର୍ଥାତ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ ଲଗାତାର ପ୍ରତିଶ୍ରୁତିର ସୁଅ ଛୁଟାଇବାରେ ଲାଗିଛନ୍ତି । ଆଉ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ୨୦୧୯ ପାଇଁ ଇସ୍ତାହାର ଘୋଷଣା କରିଛନ୍ତି । ଇସ୍ତାହାର ନାଁ କଂଗ୍ରେସ ‘ଜନ ଆୱାଜ’ ରଖିଛି କଂଗ୍ରେସ । ଇସ୍ତାହାରରେ ୫ଟି ଥିମ୍ ରହିଛି । ଇସ୍ତାହାରରେ ଗରିବ, ମହିଳା, ଯୁବକ ଓ ଯୁବ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଭଳି ପ୍ରତିଶ୍ରୁତି ଦେଇଛି । କଂଗ୍ରେସ ଶାସନକୁ ଆସିଲେ ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ । ଇସ୍ତାହାରରେ ଯୁବକ, ଚାଷୀ ଓ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ହେଲା କୃଷକ ଓ ରୋଜଗାର । ଇସ୍ତାହାରରେ ଘୋଷଣା ହୋଇଛି କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ ଋଣ ସୁଝି ନପାରିଲେ ଅପରାଧିକ ମାମଲା ରୁଜୁ କରାଯିବ ନାହିଁ । ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ କରାଯିବା ଉଚିତ୍ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯୁବ ବ୍ୟବସାୟୀ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ୩ ବର୍ଷ ଯାଏଁ ଅନୁମତି ନେବାକୁ ପଡିବ ନାହିଁ । ୨୦୨୦ ମାର୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୨ ଲକ୍ଷ ପଦବୀ ପୂରଣ କରାଯିବ । ଜିଏସ୍‌ଟିକୁ ସରଳ କରାଯିବ । ଦେଶର ଗ୍ରାମ ପଞ୍ଚାୟତମାନଙ୍କରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ଦେଇ କଂଗ୍ରେସ ପକ୍ଷରୁ ଇସ୍ତାହାରରେ କୁହାଯାଇଛି, ସରକାରୀ ଡାକ୍ତରଖାନାକୁ ଆହୁରି ମଜବୁଦ୍ କରାଯିବ, ଗରିବ ଲୋକଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବ କଂଗ୍ରେସ । କେନ୍ଦ୍ରରେ କଂଗ୍ରେସ ଆସିଲେ ଦେଶରେ ଯୁବକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୦ ସୁଦ୍ଧା ୨୨ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ । କେବଳ ପଂଚାୟତ ସ୍ତରରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାହୁଲ ଗାନ୍ଧି କହିଛନ୍ତି । କଂଗ୍ରେସ ଇସ୍ତାହାରରେ ଶିକ୍ଷାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ଶିକ୍ଷାକ୍ଷେତ୍ରରେ ୬ ପ୍ରତିଶତ ଅଧିକ ଖର୍ଚ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।